fbpx

ଆସନ୍ତା ମାସରେ ହେବ EPFOର ବୈଠକ, ବଢ଼ିପାରେ PF ସୁଧ ହାର

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତାମାସରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ମିଳୁଥିବା ସୁଧ ବଢ଼ିବା ନେଇ ଆଲୋଚନା ହୋଇପାରେ । ଗତ ୨୦୨୦-୨୧ ବର୍ଷରେ ରିଟାୟାରମେଣ୍ଟ ଫଣ୍ଡ କ୍ଷେତ୍ରରେ ୮.୫ ପ୍ରତିଶତ ସୁଧ ମିଳୁଥିଲା । ପିଏଫ୍ ସଦସ୍ୟଙ୍କ ଖାତାରେ ଇପିଏଫ୍ ଜମାରାଶି ଉପରେ ବାର୍ଷିକ ସୁଧ ଦର ବୃଦ୍ଧି ନେଇ ଗତବର୍ଷ କରାଯାଇଥିବା ସୁପାରିଶକୁ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଥିଲା । ଗତବର୍ଷ ନଭେମ୍ବରରେ ସିବିଟି ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ଏନେଇ କିଛି ନିଷ୍ପତ୍ତି ହୋଇନଥିଲା । ତେଣୁ ଆସନ୍ତା ମାସରେ ଗୌହାଟିରେ ଅନୁଷ୍ଠିତ ହେବାକୁ ଥିବା ବୈଠକରୁ କିଛି ସୁସମ୍ବାଦ ମିଳିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ପିଏଫ୍ ଜମା ଅର୍ଥ ଉପରେ ୮.୫ ପ୍ରତିଶତ ସୁଧ ଦିଆଯାଇଛି, ଯାହାକି ପୂର୍ବ ଦର ତୁଳନାରେ କମ୍ ରହିଛି । ୨୦୧୯-୨୦ରେ ସୁଧ ଦର ୮.୫ ପ୍ରଦାନ ନେଇ ସ୍ଥିରୀକୃତ ହୋଇଥିଲା । ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସବୁଠାରୁ କମ୍ ଥିଲା । ୨୦୧୮-୧୯ରେ ପିଏଫ୍ ସୁଧ ଦର ୮.୬୫, ୨୦୧୬-୧୭ରେ ୮.୬୫ ଓ ୨୦୧୭-୧୮ରେ ୮.୫୫, ୨୦୧୩-୧୪ରେ ୮.୭୫, ୨୦୧୨-୧୩ରେ ୮.୫, ୨୦୧୧-୧୨ରେ ୮.୨୫ ପ୍ରତିଶତ ରହିଥିଲା । ତେବେ ପିଏଫ ଉପରେ ମିଳୁଥିବା ସୁଧ ହାର କ୍ରମାଗତ ଭାବେ ଉପର ତଳ ହେଉଛି । ଏହି ଦର ବଢ଼ିବ କି ନାହିଁ, ତାହା ବୈଠକ ପରେ ଜଣାପଡ଼ିବ ।

Get real time updates directly on you device, subscribe now.