ଏପର୍ଯ୍ୟନ୍ତର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍, ୨୮ଟି ବ୍ୟାଙ୍କକୂ ଏହି କମ୍ପାନୀ ଲଗାଯାଇଛି ଚୁନ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ମାମଲା ସାମନାକୁ ଆସିଛି । ଏହି ସ୍କାମ୍ କୋଟିଏ କି ଦୁଇ କୋଟି ନୁହେଁ କି ଶହେ କି ଦୁଇ ଶହ କୋଟି ବି ନୁହେଁ । ଏକାଥରକେ ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ । ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ୨୭ଟି ବ୍ୟାଙ୍କକୁ ଲଗାଯାଇଛି ଚୁନ । ଜାହାଜ ନିର୍ମାଣକାରୀ ତଥା ମରାମତି କରୁଥିବା ଦେଶର ଏକ ପ୍ରମୁଖ କମ୍ପାନି ଏବିଜି ସିପୟାର୍ଡ ଲିମିଟେଡ୍ ନାଁରେ ଆସିଛି ଏଭଳି ସାଂଘାତିକ ତଥା ସବୁଠିୁ ବଡ଼ ଠକେଇ ଅଭିଯୋଗ । ସିବିଆଇ କମ୍ପାନି ନାଁରେ ମାମଲା ରୁଜୁ କରିବା ସହ ଦେଶରେ ଅନେକ ସ୍ଥାନରେ ଚଢ଼ଉ କରିଛି ।

ସୂଚନା ଅନୁସାରେ, ଦୁଇ ଦଶଦ୍ଧି ଧରି ସୁରତ ଓ ମୁମ୍ବାଇରେ ଜାହାଜ ନିର୍ମାଣ କରୁଛି ଏବିଜି ଲିମିଟେଡ୍ । ଏହି ମଧ୍ୟରେ ୧୬୦ରୁ ଅଧିକ ଜାହାଜର ନିର୍ମାଣ କରିଥିବା କମ୍ପାନି ବ୍ୟାପକ ମାତ୍ରାରେ କ୍ଷତି ସହିଥିଲା । ଏହାର ଭରଣା କରିବାକୁ ଯାଇ ଋ଼ଣ ଓ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ଏଲଓୟୁ ଅଣାଯାଇ ଠକେଇ କରିଥିବା ଜଣାପଡ଼ିଛି ।

ପ୍ରଥମେ ମୁମ୍ବାଇର ଓଭରସିସ୍ ଏସବିଆଇ ବ୍ରାଞ୍ଚରୁ ଏହି ଠକେଇ ହୋଇଥିଲା । ପରେ ଦିଲ୍ଲୀର ଏକାଧିକ ଶାଖାରେ ସମାନ ଭାବେ ଠକେଇ କରାଯାଇଛି । ଏପ୍ରିଲ ୨୦୧୨ରୁ ଜୁଲାଇ ୨୦୧୭ ମଧ୍ୟରେ ଏସବିଆଇର ୨୯୨୫ କୋଟି, ଆଇସିଆଇସିଆଇ ୭୦୮୯ କୋଟି, ବ୍ୟାଙ୍କ ଅଫ୍ ବରୋଦା ୧୬୧୪ କୋଟି, ପିଏନବି ୧୨୪୪ କୋଟି ଠକେଇର ଶିକାର ହୋଇଛନ୍ତି ।

ମାମଲାରେ ସିବିଆଇ ଏବିଜିର ତତ୍କାନୀଳ ପ୍ରତିଷ୍ଠାତା ଚେୟାରମ୍ୟାନ୍ ଓ ଏମଡି ରିଶି କମଲେଶ ଅଗ୍ରୱାଲଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେଥିରେ ରହିଛନ୍ତି କମ୍ପାନିର ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ ଅଗ୍ରୱାଲ୍, ରବି ବିମଲ୍ ପ୍ରମୁଖ । ଏହି ସମସ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ରଚିବା, ଅପରାଧିକ ବିଶ୍ୱାସ ଭଙ୍ଗ, ପଦବୀର ଅପବ୍ୟବହାର ବୋଲି ମାମଲା ରୁଜୁ ହୋଇଛି ।