fbpx

ଟିମ୍ ଇଣ୍ଡିଆକୁ ଝଟକା: ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଲେ ଅଫ ସ୍ପିନର ସୁନ୍ଦର

କୋଲକାତା: କୋଲକାତା ଇଡେନ ଗାର୍ଡେନରେ ଫେବୃଆରୀ ୧୬ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଅଫ ସ୍ପିନର ୱାଶିଂଟନ ସୁନ୍ଦର ଆହତ ହେବା କାରଣରୁ ପୂରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ତାମିଲନାଡୁ କ୍ରିକେଟ୍‌ ଆସୋସିଏନ(ଟିଏନସିଏ)ର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି, ସୁନ୍ଦରଙ୍କୁ ଗ୍ରେଡ ୧ ହାମଷ୍ଟ୍ରିଙ୍ଗର ଆଘାତ ଲାଗିଛି । ମଙ୍ଗଳବାର ଏନସିଏରେ ରିପୋର୍ଟ କରିବାକୁ ପଡିବ । ଏବେ ସୁନ୍ଦରଙ୍କୁ ଏନସିଏରେ ତିନି ସପ୍ତାହ ବିତାଇବାକୁ ପଡିବ ।

ୱାଶିଂଟନ ସୁନ୍ଦରଙ୍କୁ ମିଶାଇ ତିନି ଜଣ ଭାରତୀୟ ଖେଳାଳି ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ତାଙ୍କ ପୂର୍ବରୁ ଉପ ଅଧିନାୟକ କେଏଲ ରାହୁଲ ଏବଂ ଅକ୍ଷର ପଟେଲ୍‌ ମଧ୍ୟ ସିରିଜ୍‌ରୁ ବାଦ୍‌ ପଡି ସାରିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକୱାଡ ଏବଂ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍‌ କରାଯାଇଛି । ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ରାହୁଲଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ମାଂସପେଶୀ ଟାଣି ଧରିଥିଲା । ଏହି କାରଣରୁ ସେ ଟି-୨୦ ସିରିଜ୍‌ରୁ ଓହରି ଯାଇଛନ୍ତି । ଅନ୍ୟପଟେ ଅକ୍ଷର ପଟେଲ୍‌ କରୋନା ଭାଇରସ୍‌ରୁ ସୁସ୍ଥ ହେବା ପରେ ରିହାବିଲିଟେସନର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି । ତେଣୁ ସେ ମଧ୍ୟ ଟି-୨୦ ସିରିଜ୍‌ରୁ ବାଦ୍‌ ପଡିଛନ୍ତି ।

Get real time updates directly on you device, subscribe now.