Infosys ଦେବ ବଡ଼ ନିଯୁକ୍ତି: ୫୫ ହଜାରରୁ ଅଧିକ ଫ୍ରେସର୍ସ ପାଇବେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଇନଫୋସିସ୍ ବଡ଼ ଧରଣର ନିଯୁକ୍ତି ସୁଯୋଗ ଦେବାକୁ ଯାଉଛି । କମ୍ପାନୀ ତରଫରୁ କୁହାଯାଇଛି ଯେ, ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ରିକଭରି ଦ୍ରୁତ ହେବା ସହିତ ଆଗାମୀ ଦିନ ମାନଙ୍କରେ କମ୍ପାନୀର ଗ୍ରୋଥ୍ ରେଟ୍ ବି ବଢ଼ିବ । ଏହି ପରିପ୍ରେକ୍ଷୀରେ କମ୍ପାନୀର ସିଇଓ ସଲିଲ୍ ପାରେଖ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଆର୍ଥିକ ବର୍ଷ କମ୍ପାନୀ ୫୫ ହଜାରରୁ ଅଧିକ ଫ୍ରେସର୍ସଙ୍କୁ ଚାକିରୀ ସୁଯୋଗ ମିଳିବ । ଖାଲି ସେତିକି ନୂହେଁ ଆଗାମୀ ଦିନରେ ବିଜ୍ଞାନ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭର୍ତ୍ତି ସୁଯୋଗ ମିଳିପାରେ ।

କମ୍ପାନୀର ସିଇଓ କହିଛନ୍ତି ଯେ, ୨୦୨୨ରେ ୫୫ ହଜାର କଲେଜ୍ ଗ୍ରାଜୁଏଟସ୍ ଙ୍କୁ ଭର୍ତ୍ତି କରିବେ ଓ ତାର ଆଗାମୀ ବର୍ଷରେ ଆହୁରି ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇନଫୋସିସ୍ ରେ ବାର୍ଷିକ ରାଜସ୍ୱରେ ୨୦ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛି । ତେଣୁ ଏହି ସମୟରେ ନୂଆ ଲୋକଙ୍କୁ ଭର୍ତ୍ତି କରିବାର ଉତ୍ତମ ସୁଯୋଗ । ପାରେଖ କହିଛନ୍ତି ଯେ କମ୍ପାନୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କମ୍ପାନୀ ବହୁତ ଧ୍ୟାନ ଦେଇଥାଏ, ଯେଉଁଥିରେ ନୂତନ ଚାକିରି ଦେବା ପୂର୍ବରୁ ଛଅରୁ ୧୨ ସପ୍ତାହ ପର୍ୟ୍ୟନ୍ତ ତାଲିମ ଦିଆଯାଇଥାଏ । ଏଥିସହ, କମ୍ପାନୀ ବିଦ୍ୟମାନ କର୍ମଚାରୀମାନଙ୍କୁ ତାଲିମ ଦେବା ଜାରି ରଖିଛି ଯେ ସେମାନେ ସେମାନଙ୍କର ସାମର୍ଥ୍ୟର ବିକାଶ ଜାରି ରଖିବେ ।