fbpx

ତୁମକୁ ଆଉ ମୌକା ମିଳିବ ନାହିଁ, ଅବସର ନେଇଯାଅ: କୋଚ ଦ୍ରାବିଡ଼ ଜଣେ ଖେଳାଳିଙ୍କୁ ଏପରି କହିବା ପଛର ରହସ୍ୟ କ’ଣ?

ନୂଆଦିଲ୍ଲୀ: ସାଧାରଣ ଭାବେ ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ଙ୍କୁ ଜଣେ ଶାନ୍ତ ସ୍ୱଭାବର ଖେଳାଳି ଭାବେ ସମସ୍ତେ ଜାଣିଛନ୍ତି । ମାତ୍ର ଦ୍ରାବିଡ଼ଙ୍କୁ ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦଳରୁ ବାହାର ହେବା ପରେ ଜଣେ ଖେଳାଳି ଦ୍ରାବିଡ଼ଙ୍କ ଉପରେ ଦୋଷ ଲଦିଛନ୍ତି । ‘ତୁମକୁ ଆଉ ମୌକା ମିଳିବ ନାହିଁ, ଅବସର ନେଇଯାଅ’ ବୋଲି ଦ୍ରାବିଡ଼ ଜଣେ ଖେଳାଳିଙ୍କୁ କହିଥିବା ଅଭିଯୋଗ ଆସିଛି ।

ଟି-୨୦ରେ ଟିମ୍ ଇଣ୍ଡିଆର ବିଫଳତା ପରେ ଦଳରେ ଖେଳାଳିଙ୍କୁ ଇନ୍ ଆଉଟ୍ ଜାରି ରହିଛି । ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ଭଲ ନାହିଁ, ସେମାନଙ୍କୁ ବାହାର କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା ଚଲାଇଛି । ଶ୍ରୀଲଙ୍କା ବିପକ୍ଷ ପାଇଁ ଘୋଷିତ ଦଳରେ ଅନେକ ଖେଳାଳିଙ୍କୁ ବାହାରର ରାସ୍ତା ଦେଖିବାକୁ ପଡ଼ିଛି । ଲିଷ୍ଟରେ ୱିକେଟ କିପର ଋଦ୍ଧିମାନ ଶାହାଙ୍କ ନାମ ନ ଥିବାବେଳେ ସେ ଦ୍ରାବିଡ଼ଙ୍କୁ ନେଇ ଏପରି ଅଭିଯୋଗ ଆଣିଛନ୍ତି । ଦ୍ରାବିଡ଼ ତାଙ୍କୁ ଅବସର ପାଇଁ ଚାପ ପକାଇଥିବା କହିଛନ୍ତି ଋଦ୍ଧିମାନ ।

ଋଦ୍ଧିମାନ ପୁଣି କହିଛନ୍ତି ଯେ, ମୋ ପାଇଁ କୌଣସି ବିଚାର କରାଯିବ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ ମୋତେ କହିଥିଲା । ମୁଁ ପୂର୍ବରୁ ଭାରତୀୟ ଟିମର ସଦସ୍ୟ ଥିବାରୁ ଏକଥା କହିବାକୁ ଠିକ୍ ଭାବି ନଥିଲି । ଅବସର ବିଷୟରେ ଚିନ୍ତା କରିବାକୁ ଦ୍ରାବିଡ଼ ମୋତେ କହିଥିଲେ । ଟିମରେ ସ୍ଥାନ ମିଳିବା ନେଇ ଚିନ୍ତା ନ କରିବାକୁ ସୌରଭ ଗାଙ୍ଗୁଲି ମୋତେ କହିଥିଲେ, ମାତ୍ର ଏହା ପରେ ବି ମୋତେ ଦଳରୁ ବାହାର କରିଦିଆଗଲା । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ସିରିଜ୍ ପାଇଁ ଦଳରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି ।

Get real time updates directly on you device, subscribe now.