fbpx

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ନିର୍ବାଚନ ପୂର୍ବରୁ ସର୍ଚ୍ଚ ବେଳେ ମାଟିତଳୁ ମିଳିଲା ମାରଣାସ୍ତ୍ର

ନିର୍ବାଚନ ପୂର୍ବରୁ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଟିତଳୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କଲା ପୋଲିସ୍ । ୫ ଟି ବନ୍ଧୁକ ୨ ଟି ବୋମା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ବିଏସଏଫ୍, ଡିଭିଏଫ୍ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନବେଳେ ଯନ୍ତ୍ରୀ ପଞ୍ଚାୟତ ନାଡ଼ମଞ୍ଜରୀ ଜଙ୍ଗଲରୁ ମାଟିତଳୁ ଏହି ମାରଣାସ୍ତ୍ର ଜବତ ହୋଇଛି ।

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ନିର୍ବାଚନ । ପୂର୍ବରୁ ମାଓବାଦୀଙ୍କ ଗଡ଼ ଥିବା ଏହି ଅଞ୍ଚଳରେ ନିର୍ବାଚନ ହେଉନଥିଲା । କିନ୍ତୁ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି  ବିଏସଏଫ , ଡିଭିଏଫ ତରଫରୁ ପ୍ରତିଦିନ ଘନ ଘନ କମ୍ବିଂ ଅପରେସନ କରାଯାଉଛି  ।

ଆଉ ରବିବାର ଯବାନ ମାନଙ୍କ ତରଫରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ନଦମଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଙ୍ଗ କରୁଥିବା ବେଳେ ମାଓବାଦୀଙ୍କ ଦ୍ବାରା ପୋତା ହୋଇଥିବା  ବିପୁଳ ପରିମାଣର ମାଓ ସାମଗ୍ରୀ ଜବାନ ମାନେ ଜବତ କରିଛନ୍ତି।  ଟିଫିନ ବୋମା , ପ୍ରେସର ବୋମା , କଡେକ୍ସ ତାର ,  ଡିଟନେଟର , ବ୍ୟାନର , ବ୍ୟାଟେରୀ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସପି ନୀତିଶ ୱାଧ୍ୟାନି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୨୪ ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ  ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି।

Get real time updates directly on you device, subscribe now.