fbpx

ନୀତିଶ କୁମାର ହୋଇପାରନ୍ତି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଏହାର ଫଳଫଳ ଉପରେ ରହିଛି ସମସ୍ତଙ୍କ ରାଜନୈତିକ ଦଳମାନଙ୍କର ନଜର । ତେବେ ଇତିମଧ୍ୟରେ ପୁଣି ଥରେ ବିପକ୍ଷ ମହାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆରମ୍ଭ କରିସାରିଛନ୍ତି ରଣନୀତି । ତେବେ ଏହି ସମୟରେ ପୁଣି ଏକ ନୂଆ ପଲିଟିକ୍ସ ଅପଡେଟିଂ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜଣାପଡ଼ିଛି ଯେ, ନିକଟରେ ରାଜନୀତିକ ନୀତି ନିର୍ଦ୍ଧାରକ ପ୍ରଶାନ୍ତ କିଶୋର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ସିକ୍ରେଟ ମିଟିଂ କରିଥିଲେ । ଏହାପରେ ଦୁହେଁ ରାଜନୈତିକ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ପରେ ନୀତିଶଙ୍କ ରାଷ୍ଟ୍ରପତି ପ୍ରସଙ୍ଗ ଉପରେ ତର୍ଜମା କରିଥିଲେ । ବର୍ତ୍ତମାନ ବିହାରରେ ବିଜେପି ଓ ଜେଡି(ୟୁ)ର ମିଳିତ ସରକାର ଚାଲିଥିବା ବେଳେ ନୀତିଶ ଏକପ୍ରକାର ପାୱାରଲେସ୍ ଅବସ୍ଥାରେ ଅଛନ୍ତି । କାରଣ ଗତ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ସିଟ୍ ହାତେଇ ନୀତିଶଙ୍କୁ ବ୍ୟାକଫୁଟକୁ ଠେଲିବାରେ ସକ୍ଷମ ହୋଇଥିଲା । ଫଳରେ ନୀତିଶଙ୍କର ସମସ୍ତ ପୂର୍ବର ଗର୍ବ, ଠାଣି ଏକପ୍ରକାର ଶେଷ ହୋଇଯାଇଥିଲା । ପୁଣି ରାଜ୍ୟରେ ଜନଗଣନାକୁ ନେଇ ବିଜେପି ଓ ଜେଡି(ୟୁ) ମଧ୍ୟରେ ବିବାଦ ଲାଗି ରହିଛି । କେସିଆର ନିକଟରେ ତେଜସ୍ୱୀ ଯାଦବ, ଏନସିପି ନେତା ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଆସନ୍ତା ଜୁଲାଇ ମାସ ୨୪ ତାରିଖରେ ସମାପ୍ତ ହେବାକୁ ଯାଉଛି । ତେଣୁ ସମସ୍ତ ରାଜନୈତିକ ଦଳଗୁଡ଼ିକ ତତ୍ପର ହୋଇ ଉଠିଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନରେ ସାଧାରଣତଃ ବିଭିନ୍ନ ରାଜ୍ୟର ବିଧାନସଭା ସଦସ୍ୟଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ସହଯୋଗୀ ଦଳଙ୍କ ବିନା ସହଯୋଗରେ କୌଣସି ଦଳ ନିଜ ପସନ୍ଦର ରାଷ୍ଟ୍ରପତିଙ୍କୁ ଚୟନ କରିପାରିବ ନାହିଁ । ତେଣୁ ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡ଼ିକ ରଣନୀତି ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.