fbpx

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ହଙ୍ଗେରୀ, ପୋଲାଣ୍ଡରୁ ପହଞ୍ଚିଲା ସାହାଯ୍ୟ; ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧଲାଗି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି । ଶୁକ୍ରବାର ଦିନ ସୂଚନା ମିଳିଛି ଯେ, ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ହଙ୍ଗେରୀ, ପୋଲାଣ୍ଡ୍, ସ୍ଲୋଭାକିୟା ଓ ରୋମାନିଆ ବି ନିଜ ସ୍ତରରେ କାମ କରୁଛି । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇ ଖାସ୍ କରି ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ୍ ବାଗଚୀ କହିଛନ୍ତି ଯେ, ୟୁକ୍ରେନରୁ ଭାରତୀୟଙ୍କୁ ବାହାର କରିବା ପାଇଁ ହଙ୍ଗେରୀ, ପୋଲାଣ୍ଡ୍, ସ୍ଲୋଭାକିୟା ଓ ରୋମାନିଆରେ ଭାରତୀୟ ଦୂତାବାସର ଟିମ୍ ୟୁକ୍ରେନର ସୀମା ନିକଟରେ ପହଞ୍ଚୁଛନ୍ତି । ୟୁକ୍ରେନ ସୀମାରେ ଥିବା ଭାରତୀୟ ମାନେ ଏହି ଟିମ୍ ସହିତ ସମ୍ପର୍କ କରିପାରିବେ ।

ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସାହାଯ୍ୟ କରିବା ପାଇଁ ଭାରତ ସରକାର ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏଥିପାଇଁ ଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ସରକାରଙ୍କ ତରଫରୁ +୯୧୧୧୨୩୦୧୨୧୧୩, +୯୧୧୧୨୩୯୧୪୧୦୪, +୯୧୧୧୨୩୦୧୭୯୦୫ ଏବଂ ୧୮୦୦୧୧୮୭୯୭ ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.