fbpx

ରାଜ୍ୟରେ ବଢ଼ିବ ବିଦ୍ୟୁତ ଦର: ଗ୍ରୀଡକୋ-ବେଦାନ୍ତର ଲଢ଼େଇରେ ବଳି ପଡ଼ିବେ ଉପଭୋକ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ଦୁଃଖଦ ଖବର । ଆସନ୍ତା ଆର୍ଥିକ ବର୍ଷରେ ବିଦ୍ୟୁତ ଶୁଳ୍କ ବଢ଼ିବାକୁ ଯାଉଛି । ଆସନ୍ତା ଆର୍ଥିକ ବର୍ଷର ବିଦ୍ୟୁତ ଶୁଳ୍କକୁ ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ରେ ଶୁଣାଣି ଚାଲିଛି । ତେବେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ବୋଝ ନ ଲଦିବା ପାଇଁ ଗ୍ରୀଡକୋ, ଆବଣ୍ଟନକାରୀ ସଂସ୍ଥାଗୁଡ଼ିକୁ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଥିଲା । ଫଳରେ ଉପଭୋକ୍ତାଙ୍କ ଉପରେ କୌଣସି ବୋଝ ପଡ଼ିବ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ନିକଟରେ ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ଏକ ବଡ଼ଧରରଣ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ଆବଶ୍ୟକ କୋଇଲା ଅଭାବରୁ ଝାରସୁଗୁଡ଼ା ସ୍ଥିତ ବେଦାନ୍ତର ବିଦ୍ୟୁତ ୟୁନିଟକୁ ବନ୍ଦ କରିଦିଆଯାଇଛି । ରାଜ୍ୟରେ ବଳକା ବିଦ୍ୟୁତ ଶକ୍ତି ଥିବା ସରକାର କହୁଥିବା ବେଳେ ଏବେ ବିଦ୍ୟୁତ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ବର୍ତ୍ତମାନ ପରିସ୍ଥିତିରେ ଗ୍ରୀଡକୋ ଓ ବେଦାନ୍ତ ପରସ୍ପରକୁ ଦୋଷାରୋପ କରିବାରେ ଲାଗି ପଡ଼ିଛନ୍ତି । ତେବେ କୋଇଲାର ଅଭାବ ଦର୍ଶାଇ ବେଦାନ୍ତ ତା’ର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବନ୍ଦ କରିବା ସହ ଟ୍ରିବୁନାଲକୁ ଯାଇଛି, ଯାହାଫଳରେ ଗ୍ରୀଡକୋର ଅଡ଼ୁଆ ବଢ଼ିଛି । ଚୁକ୍ତି ଅନୁସାରେ ଗ୍ରୀଡକୋର ଆବଶ୍ୟକତା ସମୟରେ ବେଦାନ୍ତ ଯଦି ବିଦ୍ୟୁତ ଯୋଗାଇ ନ ପାରିବ, ତେବେ ବାହାରୁ ଚଢ଼ା ଦରରେ ବିଦ୍ୟୁତ କ୍ରୟ କରାଯିବ । ତେବେ ଏଥିନେଇ ହେଉଥିବା କ୍ଷତିର ଭରଣା କିଏ କରିବ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଗ୍ରୀଡକୋ-ବେଦାନ୍ତର ଆଇନଗତ ଲଢ଼େଇ ଏବେ ରାଜ୍ୟର ଉପଭୋକ୍ତଙ୍କ ପାଇଁ ସମସ୍ୟା ଭାବେ ଛିଡ଼ା ହୋଇଛି ।

Get real time updates directly on you device, subscribe now.