fbpx

ମୋ ପୁଅ ୯୭ ପ୍ରତିଶତ ମାର୍କ ରଖିଥିଲା, ତଥାପି ମେଡିକାଲରେ ସିଟ୍ ମିଳିନଥିଲା: ନବୀନଙ୍କ ପିତା

ନୂଆଦିଲ୍ଲୀ: ୟୁକ୍ରେନକୁ ମେଡିକାଲ ପାଠ ପଢ଼ିବାକୁ ଯାଇ ମୃତ୍ୟୁବରଣ କରିଥିବା ୨୧ ବର୍ଷୀୟ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡରଙ୍କୁ ଝୁରୁଛନ୍ତି ତାଙ୍କର ପିତାମାତା । ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ ବଳି ପଡ଼ିଛନ୍ତି ନିଜର ସ୍ୱପ୍ନ ପୂରଣ ପାଇଁ ବିଦେଶ ଯାଇଥିବା ଏଇ ଯୁବକ । ନବୀନ ତାଙ୍କ ଆପାର୍ଟମେଣ୍ଟରୁ ରେଳ ଷ୍ଟେସନ ଆଡ଼କୁ ଖାଇବା ସାମଗ୍ରୀ ଆଣିବାକୁ ଯାଉଥିଲେ । ଠିକ୍ ଏହି ସମୟର ରୁଷିଆର ଶେଲିଂ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବର୍ତ୍ତମାନ ନିଜର ମେଧାବୀ ସନ୍ତାନଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ନବୀନଙ୍କ ପିତା । ନବୀନ ପିୟୁସିରେ ୯୭ ପ୍ରତିଶତ ମାର୍କ ରଖିଥିଲେ ହେଁ ତାଙ୍କୁ ମେଡିକାଲରେ ସିଟ୍ ମିଳିନଥିଲା । ଅପରପକ୍ଷେ ଭାରତରେ ମେଡିକାଲ ପଢ଼ିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ମାତ୍ର ବିଦେଶରେ ଏହି ଶିକ୍ଷା ପାଇଁ ଅପେକ୍ଷାକୃତ କମ୍ ଖର୍ଚ୍ଚ କରିବାକୁ ପଡ଼ିଥାଏ । ପୁଅକୁ ପାଠ ପଢ଼ାଇ ଡାକ୍ତର କରିବେ ବୋଲି ସ୍ୱପ୍ନ ଦେଖିଥିଲେ ବୋଲି କହିଛନ୍ତି ନବୀନଙ୍କ ପିତା ।

ତେବେ ନବୀନଙ୍କ ମୃତ୍ୟୁ ପରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିଛି । ନବୀନ ଜଣେ ମେଧାବୀ ଛାତ୍ର ହୋଇଥିବା ସହ ପିୟୁସିରେ ୯୭ ପ୍ରତିଶତ ମାର୍କ ରଖିଥିଲେ । ଜଣେ ଛାତ୍ର ଏତେ ମାର୍କ ରଖିବା ପରେ ଯଦି ତାଙ୍କୁ ମେଡିକାଲରେ ସିଟ୍ ନ ମିଳିବ, ତେବେ ଏଭଳି ସ୍ଥିତିରେ ପିଲାମାନେ ବାଧ୍ୟହୋଇ କମ ଖର୍ଚ୍ଚରେ ବିଦେଶକୁ ପାଠ ପଢ଼ିବାକୁ ବାଛି ନେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.