ନୂଆଦିଲ୍ଲୀ: ସୋନି ଟିଭିର ଜଣାଶୁଣା ରିୟଲିଟି ଶୋ “ଇଣ୍ଡିଆଜ ଗଟ ଟାଲେଣ୍ଟ’ରେ ଘଟିଛି ଏକ ଅଦ୍ଭୁତ ଘଟଣା । ଗୋଟିଏ ଚମତ୍କାର ପରଫୋରମାନ୍ସ ବଦଳାଇ ଦେଇଛି ଦୁଇ ପ୍ରତିଯୋଗୀଙ୍କ ଭାଗ୍ୟ । ଶୋ’ରୁ ସିଧା ପହଞ୍ଚିଛନ୍ତି ସିଲଭର ସ୍କ୍ରିନରେ । ବଲିଉଡରେ ଖୁବ ଶୀଘ୍ର ମାରିବେ ଧାକଡ ଏଣ୍ଟ୍ରି । ବଲିଉଡ ଇଣ୍ଡଷ୍ଟ୍ରିର ଆକ୍ସନ ଡାଇରେକ୍ଟର ରୋହିତ ଶେଟ୍ଟୀଙ୍କ ପିଲ୍ମରେ ମିଳିଛି ଗୀତ ବନେଇବାର ଅଫର । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
“ଇଣ୍ଡିଆଜ ଗଟ ଟାଲେଣ୍ଟ’ର ସ୍ୱତନ୍ତ୍ର ଏପିସୋଡରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ସ୍ପେଶଲ ଜଜ୍ ହୋଇ ଆସିଥିଲେ । ପ୍ରତିଯୋଗୀ ଏବଂ ଜଜ୍ ମାନଙ୍କ ସହ ଖୁବ ମସ୍ତି ମଜାକ କରି ଏପିସୋଡକୁ ଭରପୂର ଉପଭୋଗ କରିଥିଲେ ରୋହିତ । ତେବେ ଏହି ସମୟରେ ତାଙ୍କ ଆଖି ପଡିଥିଲା ଦୁଇ ପ୍ରତିଯୋଗୀ ଦିବ୍ୟାଂଶ ଏବଂ ମନୁରାଜଙ୍କ ଉପରେ ଯିଏ ନିଜ କଳାରେ ସମସ୍ତଙ୍କୁ ଝୁମେଇ ଦେଇଛନ୍ତି । “ୟେ ମେରା ଦିଲ ୟାର କା ଦିୱାନା’, “ଗୋଲମାଲ’ ଏବଂ “ଆଂଖ ମାରେ’ ଗୀତରେ ଚମତ୍କାର ପଦର୍ଶନ କରିଥିଲେ ଦିବ୍ୟାଂଶ ଏବଂ ମନୁରାଜ । ଯାହାକୁ ଦେଖି ଦର୍ଶକଙ୍କ ସହ ଝୁମି ଉଠିଥିଲେ ରୋହିତ ଶେଟ୍ଟୀ । ରୋହିତଙ୍କ ସମେତ ଜଜ୍ କିରନ ଖେର, ବାଦଶାହ ଏବଂ ଶିଳ୍ପା ସେଟ୍ଟୀ ମଧ୍ୟ ନାଚିବା ଆରମ୍ଭ କରି ଦେଇଥିଲେ । ତେଣୁ ଉଭୟଙ୍କ ଟାଲେଣ୍ଟକୁ ଦେଖି ସଙ୍ଗେ ସଙ୍ଗେ ତାଙ୍କର ପରବର୍ତ୍ତୀ ଫିଲ୍ମ “ସର୍କସ’ରେ ସଂଗୀତ ପାଇଁ ଉଭୟଙ୍କୁ ସାଇନ କରାଇ ନେଇଛନ୍ତି ରୋହିତ । ତେବେ ଏହି ସିନେମାରେ ଲୋକପ୍ରିୟ ଗାୟକ ବାଦଶାହ କିଛି ଗୀତ ଗାଇଛନ୍ତି ଯାହାର ଦାୟିତ୍ୱ ଏବେ ଦିବ୍ୟାଂଶ ଏବଂ ମନୁରାଜଙ୍କ ଉପରେ ଛାଡିଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ।