ଆର ଅଶ୍ଵିନଙ୍କ କମାଲ, ରଙ୍ଗନା ହେରାଥଙ୍କୁ ପଛରେ ପକାଇ ଟପ୍ ୧୦ କ୍ଲବରେ ହେଲେ ସାମିଲ୍

ମୋହାଲି: ଭାରତୀୟ କ୍ରିକେଟ୍ ଦଳର ତାରକା ଅଫ ସ୍ପିନର ଆର ଅଶ୍ଵିନ ଟେଷ୍ଟ କ୍ରିକେଟରେ କମାଲ କରିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ଟପ୍ ୧୦ରେ ପ୍ରବେଶ କରିଛନ୍ତି। ଶ୍ରୀଲଙ୍କାର ସ୍ପିନର ରଙ୍ଗନା ହେରାଥଙ୍କୁ ପଛରେ ପକାଇ ଅଶ୍ଵିନ ମୋହାଲିରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ମୋହାଲିର ପିସିଏ କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଇନିଂସରେ ଆର ଅଶ୍ଵିନ ପଥୁମ ନିଶଙ୍କା(୬)ଙ୍କୁ ଆଉଟ୍ କରିବା ମାତ୍ରେ ଟେଷ୍ଟ କ୍ରିକେଟରେ ଦଶମ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ସେ କପିଲ୍ ଦେବଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ବର୍ତ୍ତମାନ ଆର ଅଶ୍ଵିନ ଟେଷ୍ଟରେ ୪୩୪ ଓ୍ଵିକେଟ୍ ହାସଲ କରିଛନ୍ତି। ଏଥିସହ ରଙ୍ଗନା ହେରାଥ(୪୩୩)ଙ୍କୁ ପଛରେ ପକାଇଛନ୍ତି। କପିଲ୍ ଦେବ ଭାରତ ପକ୍ଷରୁ ଟେଷ୍ଟରେ ୪୩୪ ଓ୍ଵିକେଟ୍ ନେଇଛନ୍ତି। ତେଣୁ ଅଶ୍ଵିନ ଆଉ ଗୋଟିଏ ଓ୍ଵିକେଟ୍ ନେଲେ କପିଲଙ୍କ ରେକର୍ଡ ଭାଙ୍ଗି ଦୁନିଆର ନବମ ସବୁଠୁ ଅଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହେବେ।

ଆର ଅଶ୍ଵିନଙ୍କଠୁ ଅଧିକ ଓ୍ଵିକେଟ୍ ଅନିଲ୍ କୁମ୍ବଲେ ନେଇଛନ୍ତି। କୁମ୍ବଲେ ୬୧୯ ଟେଷ୍ଟ ଓ୍ଵିକେଟ୍ ନେଇଛନ୍ତି। ବର୍ତ୍ତମାନ ଆର ଅଶ୍ଵିନ ଏବଂ କପିଲ୍ ଦେବଙ୍କ ଟେଷ୍ଟ ଓ୍ଵିକେଟ୍ ସଂଖ୍ୟା ୪୩୪-୪୩୪ ରହିଛି। ଖୁବ୍ ଶୀଘ୍ର ଅଶ୍ଵିନ କପିଲ୍ ଦେବଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି।