ନିର୍ବାଚନ ଶେଷ ହେବା ପରେ ଆସିଲା ଏକ୍ଜିଟ୍ ପୋଲ୍ ରିପୋର୍ଟ: ବିଜେପି ହାତରେ ୟୁପି, ପଞ୍ଜାବରେ କେଜ୍ରିୱାଲଙ୍କ ପଲ୍ଲା ଭାରି
ନୂଆଦିଲ୍ଳୀ: ୫ଟି ରାଜ୍ୟକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୧୦ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏକ୍ସିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି । ଏକ୍ସିଟ୍ ପୋଲ୍ ଅନୁଯାୟୀ ଉତ୍ତର ପ୍ରଦେଶରେ ପୁନର୍ବାର ବିଜେପି କ୍ଷମତା ଦଖଲ କରିପାରେ । ମାତ୍ର ପଞ୍ଜାବରେ କେଜ୍ରିୱାଲଙ୍କ ଝାଡୁରେ ଉଭୟ କଂଗ୍ରେସ ଏବଂ ବିଜେପି ସଫା ହୋଇ ଯାଇଛନ୍ତି ।
ପଞ୍ଜାବରେ ଏକାଧିକ ଏକ୍ସିଟ୍ ପୋଲରେ ଆପକୁ ବହୁମତ ମିଳିଛି । ସି ଭୋଟରର ସର୍ଭେ ଅନୁଯାୟୀ ପଞ୍ଜାବରେ ଆପକୁ ୭୬-୯୦ ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ କଂଗ୍ରେସକୁ ୧୭-୩୧ ଆସନ ମିଳିବାର ସମ୍ଭାବନା ରହିଥିବା ବେଳେ ବିଜେପିକୁ ୧-୪ ଆସନ ମିଳିବ । ଅକାଳୀ ଦଳକୁ ଏହି ସର୍ଭେରେ ୭-୧୪ ଆସନ ମିଳିବ । ସମାନ ସଂସ୍ଥା ଉତ୍ତର ପ୍ରଦେଶ ପାଇଁକ ନିଜ ପୋଲରେ ବିଜେପିକୁ ବହୁମତ ପ୍ରଦାନ କରିଛି । ବିଜେପିକୁ ୨୪୦ ଆସନ ମିଳିବା ନେଇ ଆକଳନ କରାଯାଇଥିବା ବେଳେ ସମାଜବାଦୀ ପାର୍ଟିକୁ ୧୪୦, ବିଏସପିକୁ ୧୭ ଓ କଂଗ୍ରେସକୁ ୪ଟି ଆସନ ମିଳିବ ।
ଉତ୍ତରାଖଣ୍ଡର ୬୦ ଆସନ ପାଇଁ କୌଣସି ଦଳକୁ ପୂର୍ଣ୍ଣ ବହୁମତ ପ୍ରଦାନ କରାଯାଇନାହିଁ । ଏକ୍ସିଟ୍ ପୋଲ ଅନୁଯାୟୀ ଏନଡିଏ ମେଣ୍ଟକୁ ୨୭-୩୨ ଏବଂ କଂଗ୍ରେସକୁ ୩୨-୩୮ ଆସନ ମିଳିବା ନେଇ ଆକଳନ କରାଯାଇଛି । ଅନ୍ୟ ସହଯୋଗୀ ଦଳଙ୍କୁ ୩-୭ ଆସନ ମିଳିବା ନେଇ ଆକଳନ କରାଯାଇଥିବା ବେଳେ ଆପ୍କୁ ୦-୨ ଆସନ ମିଳିପାରେ । ୪୦ ଆସନ ବିଶିଷ୍ଟ ଗୋଆରେ ମଧ୍ୟ କୌଣସି ଦଳକୁ ପୂର୍ଣ୍ଣ ବହୁମତ ପ୍ରଦାନ କରାଯାଇନାହିଁ । ଉଭୟ ଏନଡିଏ ଏବଂ କଂଗ୍ରେସକୁ ୧୩-୧୭ ଆସନ ପ୍ରଦାନ କରାଯାଇଥିବା ବେଳେ ଆପ୍କୁ ୨-୬ ଏବଂ ଅନ୍ୟାନ୍ୟ ଦଳକୁ ୦-୬ ଆସନ ପ୍ରଦାନ କରାଯାଇଛି । ମଣିପୁରର ୬୦ ଆସନ ପାଇଁ ବିଜେପିକୁ ୨୭-୩୧ ଆସନ ମିଳିଥିବା ବେଳେ କଂଗ୍ରେସକୁୂ ୧୧-୧୭ ଆସନ ଏବଂ ଏନପିପିକୁ ୦-୭ ଆସନ ପୂର୍ବାନୂମାନ କରାଯାଇଛି ।