fbpx

ବଲରେ ଲାଳ ଲଗାଇବାଠୁ ନେଇ କ୍ୟାଚ୍ ଆଉଟ୍ ପର୍ଯ୍ୟନ୍ତ କ୍ରିକେଟ୍ ନିୟମରେ ବଡ ପରିବର୍ତ୍ତନ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: କ୍ରିକେଟ୍ ନିୟମରେ ଅନେକ ବଡ ପରିବର୍ତ୍ତନ। ମଙ୍ଗଳବାର ମେରିଲବୋନ କ୍ରିକେଟ୍ କ୍ଲବ(ଏମସିସି) ଦ୍ଵାରା ନୂତନ ନିୟମ ଘୋଷଣା କରାଯାଇଛି। ଏହି ସବୁ ନିୟମ ୨୦୨୨ ଅକ୍ଟୋବର ୧ରୁ ଲାଗୁ ହେବ। ବଲରେ ଲାଳ ଲଗାଇବା ଉପରେ ସବୁ ଦିନ ପାଇଁ ବ୍ୟାନ୍ ଲଗାଯାଇଛି। ଏଥିସହ କ୍ୟାଚକୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି। ମଙ୍କଡିଙ୍ଗକୁ ଏବେ ରନ ଆଉଟର ମାନ୍ୟତା ଦିଆଯାଇଛି। ମଙ୍କଡିଙ୍ଗ ନିୟମ ସର୍ବଦା ବିବାଦରେ ରହି ଆସିଛି। କ୍ରିକେଟ୍ ନିୟମରେ କଣ କଣ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା…

କ୍ୟାଚ୍ ଆଉଟର ନୂତନ ନିୟମ

କ୍ୟାଚ୍ ଆଉଟ ନିୟମ ଅନୁସାରେ ଏବେ ନୂତନ ବ୍ୟାଟସମ୍ୟାନ ହିଁ ପ୍ରଥମ ବଲ୍ ଖେଳିବେ। ପୁରୁଣା ନିୟମ ଅନୁସାରେ ଯଦି କୌଣସି ବ୍ୟାଟସମ୍ୟାନ କ୍ୟାଚ୍ ଆଉଟ୍ ହେଉଥିଲେ ଏବଂ ଦୁଇ ବ୍ୟାଟସମ୍ୟାନ ରନ ନେବା ସମୟରେ ଉଭୟଙ୍କୁ ଅତିକ୍ରମ କରୁଥିଲେ, ତେବେ ନନ ଷ୍ଟ୍ରାଇକରେ ଥିବା ବ୍ୟାଟସମ୍ୟାନଙ୍କୁ ପରବର୍ତ୍ତୀ ବଲ୍ ଖେଳିବାକୁ ପଡୁଥିଲା। କିନ୍ତୁ ଏବେ ନୂତନ ନିୟମ ଅନୁସାରେ କ୍ୟାଚ୍ ଆଉଟ୍ ହେଲେ ନୂତନ ବ୍ୟାଟସମ୍ୟାନଙ୍କୁ ହିଁ ପରବର୍ତ୍ତୀ ବଲ୍ ଖେଳିବାକୁ ପଡିବ। ଯଦି କୌଣସି ବ୍ୟାଟସମ୍ୟାନ ଓଭରର ଶେଷ ବଲରେ କ୍ୟାଚ୍ ଆଉଟ୍ ହୁଅନ୍ତି ତେବେ ଏହି କ୍ଷେତ୍ରରେ ନନ ଷ୍ଟ୍ରାଇକରେ ଥିବା ବ୍ୟାଟସମ୍ୟାନ ହିଁ ପରବର୍ତ୍ତୀ ଓଭରର ନୂତନ ବଲ୍ ଖେଳିବ।

ଯଦି ପଡିଆରେ କୌଣସି ବ୍ୟକ୍ତି କିମ୍ବା ପଶୁ ଅବାଧ ପ୍ରବେଶ କରେ, ତେବେ ଫିଙ୍ଗା ଯାଇଥିବା ବଲକୁ ଅସିଦ୍ଧ ଘୋଷଣା କରାଯିବ। ପୂର୍ବେ ଏମିତି ଘଟୁଥିଲେ, ଖେଳ ଜାରି ହେଉଥିଲା କିମ୍ବା କିଛି ସମୟ ପାଇଁ ଖେଳ ବନ୍ଦ ରହୁଥିଲା।

ମଙ୍କଡିଙ୍ଗ ନିୟମ

ଯେବେ ନନ ଷ୍ଟ୍ରାଇକରେ ଥିବା ବ୍ୟାଟସମ୍ୟାନ ବୋଲର ବଲ୍ ଫିଙ୍ଗିବା ପୂର୍ବରୁ କ୍ରିଜରୁ ବାହାରି ଯାଆନ୍ତି ତେବେ ବୋଲର ବେଲ୍ ଉଡାଇ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରି ପାରିବେ। ଏହାକୁ ମଙ୍କଡିଙ୍ଗ କୁହାଯାଏ। ପ୍ରଥମେ ଏହି ନିୟମକୁ ଖେଳୁଆଡ ମନୋଭାବର ବିପରୀତ କୁହାଯାଉଥିଲା ଏବଂ ଏହି ଧରଣର ଓ୍ଵିକେଟ୍ ନେଉଥିବା ବୋଲରଙ୍କୁ ସମାଲୋଚନା କରାଯାଉଥିଲା। ଏବେ ଏହି ନିୟମକୁ ରନ ଆଉଟର ଅଂଶ କରାଯାଇଛି।

ଯଦି ଫିଲ୍ଡିଂ ସମୟରେ କୌଣସି ଫିଲଡର ନିର୍ଦ୍ଧାରିତ ଫିଲ୍ଡିଂରୁ ଅଲଗା ସ୍ଥାନରେ ଫିଲ୍ଡିଂ କରୁଥିବେ ତେବେ ଏହାକୁ ଡେଡ୍ ବଲ୍ ଘୋଷିତ କରାଯାଉଥିଲା। ମାତ୍ର ଏବେ ଫିଲ୍ଡିଂ କରୁଥିବା ଦଳକୁ ଏମିତି କରିବା ମହଙ୍ଗା ପଡିବ। କାରଣ ଏମିତି ଭୁଲ୍ ହେଲେ ୫ ରନର ପେନାଲଟି ଲାଗିବ।

ଲାଳ ବ୍ୟବହାର ଉପରେ ଲାଗିଲା ରୋକ୍

ଏବେ ଦ୍ରୁତ ବୋଲରଙ୍କ ପାଇଁ ବଲରେ ଲାଳ ବ୍ୟବହାର ଉପରେ ସର୍ବଦା ପାଇଁ ରୋକ୍ ଲଗାଯାଇଛି। କରୋନା ମହାମାରୀ ସମୟରେ ଲାଳ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ଏହି ସମୟରେ ଜଣା ପଡିଥିଲା ଯେ, ବଲରେ ଲାଳ ନଲଗାଇଲେ ମଧ୍ୟ ବଲ୍ ସୁଇଙ୍ଗ ଉପରେ କୌଣସି ପ୍ରଭାବ ପଡୁନାହିଁ। ତେଣୁ ଲାଳ ବ୍ୟବହାରକୁ ସବୁଦିନ ପାଇଁ ବନ୍ଦ କରାଯାଇଛି।

ଯଦି ବଲ୍ ପିଚ୍ ବାହାରେ ପଡୁଛି ଏବଂ କୌଣସି ବ୍ୟାଟସମ୍ୟାନ ସଟ୍ ଖେଳୁଛନ୍ତି ତେବେ ଏହି ସମୟରେ ବ୍ୟାଟସମ୍ୟାନଙ୍କ ବ୍ୟାଟର କିଛି ଅଂଶ ପିଚ୍ ଉପରେ ରହିବା ଜରୁରୀ। ଯଦି ଏମିତି ନହୁଏ ତେବେ ଅମ୍ପାୟର ଏହି ବଲକୁ ମୃତ ଘୋଷଣା କରି ପାରିବେ। ଏହା ବ୍ୟତୀତ ଯଦି କୌଣସି ବି ବଲ୍ ବ୍ୟାଟସମ୍ୟାନଙ୍କୁ ପିଚ୍ ବାହାରକୁ ଯିବା ପାଇଁ ବିବଶ କରୁଛି ତେବେ ଏହାକୁ ନୋ ବଲ୍ କୁହାଯିବ।

ଓ୍ଵାଇଡକୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ ଘଟିଛି। ଯଦି ବ୍ୟାଟସମ୍ୟାନ କୌଣସି ଅଜବ ସଟ୍ ଖେଳିବା ପାଇଁ ନିଜ ପୋଜିସନରେ ପରିବର୍ତ୍ତନ କରୁଛନ୍ତି ଏବଂ ବୋଲର ଏହାର ପିଛା କରିବାକୁ ଯାଇ ଏପଟ ସେପଟ ବଲ୍ ଫିଙ୍ଗିଥାନ୍ତି, ତେବେ ଏମିତି କ୍ଷେତ୍ରରେ ବ୍ୟାଟସମ୍ୟାନଙ୍କ ପଜିସନ ହିସାବରେ ବଲ୍ ଓ୍ଵାଇଡ୍ ଦିଆଯିବ। ଷ୍ଟମ୍ପର ଦୂରତା ହିସାବରେ ଦିଆଯିବ ନାହିଁ।

 

 

Get real time updates directly on you device, subscribe now.