fbpx

କୋଟିପତି ୩ ମେୟର୍ ପ୍ରାର୍ଥୀ, ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି । ଏହାରି ଭିତରେ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କର ଗତକାଲି ଡକ୍ୟୁମେଣ୍ଟ୍ ଯାଞ୍ଚ ହୋଇଛି ଓ ଏହାସହିତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୨ ଜଣ ମେୟର୍ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ ବୋଲି ଜଣାପଡ଼ିଛି । ଏନେଇ ସତ୍ୟପାଠରୁ ପ୍ରକାଶ ପାଇଛି ତଥ୍ୟ । ସୁଲୋଚନାଙ୍କ ସମ୍ପତ୍ତି ହେଉଛି ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮ । ଏଥି ମଧ୍ୟରେ ତାଙ୍କ ନିଜର ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀ ପ୍ରଫୁଲ୍ଲ ଦାସଙ୍କ ୬୧ ଲକ୍ଷ ୨୭ ହଜାର ୫୨୨ ଟଙ୍କାର ସମ୍ପତ୍ତି ରହିଛି ।

ଏହି ସମ୍ପତ୍ତିରେ ବ୍ୟାଙ୍କ ଜମା, ଏଲଆଇସି, ଡାକଘରେ ଜମା ପ୍ରଭୃତି ରହିଛି । ତେବେ ସୁଲୋଚନାଙ୍କ ନାମରେ କୌଣସି ଜମି ବାଡ଼ି ନାହିଁ । ଅନ୍ୟପଟେ ସ୍ୱାମୀ ପ୍ରଫୁଲ୍ଲଙ୍କ ନାମରେ ନନ୍ଦାଦେବୀ ଭିଆଇପି ଏନକ୍ଲେଭ୍ ରେ ଏକ ଫ୍ଲାଟ୍ ରହିଛି ଯାହାର ଆନୁମାନିକ ମୁଲ୍ୟ ୮୫ ଲକ୍ଷ ବୋଲି ଜଣାପଡ଼ିଛି । ଏହି କ୍ରମରେ ସୁଲୋଚନାଙ୍କର ଏକ ସ୍କୁଟି ରହିଥିବା ବେଳେ ସ୍ୱାମୀଙ୍କ ପାଖରେ ରହିଛି ଡଷ୍ଟର୍ କାର୍ ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ମଧ୍ୟ କୋଟିପତି ବୋଲି ସତ୍ୟପାଠରୁ ଜଣାପଡ଼ିଛି । ତାଙ୍କ ପାଖରେ ୧ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କାର ରହିଛି ସମ୍ପତ୍ତି । ୧୨ ଲକ୍ଷ ୨ ହଜାର ୬୭୧ ଟଙ୍କା ବିଭିନ୍ନ ବ୍ୟାଙ୍କ୍, ଡାକଘର ଓ ବଣ୍ଡ୍ ପ୍ରଭୃତି ଥିବା ବେଳେ ଝାରପଡ଼ା ସିଦ୍ଧି ବିନାୟକ ରେସିଡେନ୍ସିରେ ରହିଥିବା ଏକ ଫ୍ଲାଟ୍ ର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଦର୍ଶାଯାଇଛି । ଗୋପୀନାଥପୁର ମୌଜାରେ ନିଜ ନାମରେ ରହିଥିବା ଜମିର ଆନୁମାନିକ ମୂଲ୍ୟ ୧୮ ଲକ୍ଷ କୁହାଯାଇଛି । ତାଙ୍କ ପାଖରେ ଏକ ମାରୁତି ସୁଜୁକି କାର୍ ରହିଛି ।

ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କର ୧୩ ଲକ୍ଷ ୧୩ ହଜାର ୬୦୬ ଟଙ୍କା ସମ୍ପତ୍ତି ରହିଛି । ତାଙ୍କ ନାମରେ କେବଳ ୧୨ ଲକ୍ଷ ୩୧ ହଜାର ୫୦୬ ଟଙ୍କା ଜମା ରହିଛି । ଅନ୍ୟପଟେ ତାଙ୍କ ସ୍ୱାମୀ ଜିତେନ୍ଦ୍ର ପଣ୍ଡାଙ୍କ ନାମରେ ୮୨ ହଜାର ଶହେ ଟଙ୍କାର ବ୍ୟାଙ୍କ୍ ଜମା ଥିବା ଦର୍ଶାଯାଇଛି ।

Get real time updates directly on you device, subscribe now.