fbpx

ବନ୍ଦ ହୋଇପାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଶିକ୍ଷାରୁ ବଞ୍ଚିତ ହେବେ ଶହ ଶହ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ୮ ବର୍ଷ ପରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଧ୍ୟାପକଙ୍କୁ ନିଯୁକ୍ତି କରା ନଯିବାରୁ ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିଛି । ତେବେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୧୪ରୁ ୬ରେ ସୀମିତ ରଖିବାକୁ କୁହାଯାଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ସ୍ନାତକ ପାଠ୍ୟକ୍ରମ ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି । ତେବେ ପରିସ୍ଥିତି ଏପରି ହେଲାଣି ଯେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଲାଣି ।

ଗତ ୨୦୧୭ ମସିହାରେ ୟୁଜିସି ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପରି ୫ ବର୍ଷ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନୁମତି ପ୍ରଦାନ କରିଥିଲା । ୨୦୨୦ରେ ୟୁଜିସି ନୀତିର ପରିବର୍ତ୍ତନ ହେବା ସହିତ ଏହାକୁ କଡ଼ାକଡ଼ି କରାଯାଇଥିଲା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଧ୍ୟାପକଙ୍କର ଅଭାବ ରହିଛି । ଗତ ୨୦୨୧ ମସିହା ଏପ୍ରିଲରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୨୫ଟି ଅଧ୍ୟାପକ ପଦ ସୃଷ୍ଟି କରାଯାଇଥିଲା । ମାତ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରିବର୍ତ୍ତେ ପାଠ୍ୟକ୍ରମ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୬୫ଟି ଶିକ୍ଷକ ଓ ୩୨ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଥିଲା । ତେବେ ଗତ ନଭେମ୍ବର ସୁଦ୍ଧା ଅର୍ଥ ବିଭାଗ ଏନେଇ ଅନୁମତି ଦେବାକୁ ଥିବା ବେଳେ ତାହା ହୋଇ ନଥିଲା ।

ଏନେଇ ଗତ ଜାନୁଆରୀରେ ଉଚ୍ଚଶିକ୍ଷା ବିଭାଗର ଏକ ବୈଠକ ବସିଥିଲା । ରାଜ୍ୟରେ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ ଦୂର ନିରନ୍ତର ଶିକ୍ଷା ଚାଲିଥିବା ବେଳେ ମୁକ୍ତ ବିଶ୍ୱବିଦ୍ୟାଳୟର କ’ଣ ଆବଶ୍ୟକତା ରହିଛି ବୋଲି ବୈଠକରେ ପ୍ରଶ୍ନ କରାଯାଇଥିଲା । ଏପରିକି ଏହାକୁ କାହିଁକି ବନ୍ଦ କରାଯିବ ନାହିଁ କିମ୍ବା ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହିତ କାହିଁକି ମିଶ୍ରଣ କରାଯିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ତେବେ ସମ୍ବଲପୁରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି ମୁକ୍ତ ବିଶ୍ୱବିଦ୍ୟାଳୟର ୮୯ଟି ଷ୍ଟଡି ସେଣ୍ଟର ରହିଛି । ତେଣୁ ଯଦି ଏହାକୁ ରାଜ୍ୟ ସରକାର ବନ୍ଦ କରିଦିଅନ୍ତି, ତେବେ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.