fbpx

ୟୁକ୍ରେନ ଯୁଦ୍ଧ ପଡ଼ିବ ମହଙ୍ଗା: ଭାଙ୍ଗିଯିବ ଶକ୍ତିଶାଳୀ ରୁଷର ମେରୁଦଣ୍ଡ, ଦେଶ ଚାଲିଯିବ ୧୦୦ ବର୍ଷ ପଛକୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ତେବେ ନିଜର ଆତ୍ମସମ୍ମାନକୁ ନଜରରେ ରଖି ଦୁଇ ରାଷ୍ଟ୍ର ଉପରକୁ ଫୁଟାଣି ମାରୁଥିଲେ ହେଁ ଭିତରେ କିନ୍ତୁ ପୂରାପୂରି ଫମ୍ପା । ୟୁକ୍ରେନର କ’ଣ କ୍ଷତି ଘଟିଛି ତାହା ବିଶ୍ୱବାସୀ ଅଳ୍ପ ବହୁତ ହୃଦୟଙ୍ଗମ କରିଛନ୍ତି । ମାତ୍ର ରୁଷର କ୍ଷୟକ୍ଷତି ବିଷୟରେ ପ୍ରାୟତଃ ଅଧିକାଂଶ ଲୋକ ଅବଗତ ନଥାନ୍ତି । ତେବେ ଏଠାରେ କହିବାର କଥା ହେଲା, ଏହି ଯୁଦ୍ଧରେ ୟୁକ୍ରେନ ପରି ରୁଷ ମଧ୍ୟ ବହୁଳ କ୍ଷତିଗ୍ରସ୍ତ ହୋଇଛି । ଯୁଦ୍ଧ ପାଇଁ ଦୈନିକ ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ, ଆମେରିକା ଓ ୟୁରୋପୀୟ ଦେଶର କଟକଣାର ପ୍ରଭାବରେ ଆଗାମୀ ଦିନରେ ଝୁଣ୍ଟି ପଡ଼ିବ ରୁଷ । ରୁଷର ଅର୍ଥନୀତି କେତେ ତଳକୁ ଖସିଛି ତାହାର ଜ୍ୱଳନ୍ତ ପ୍ରମାଣ ହେଉଛି ଦେଶର ମୁଦ୍ରା ରୁବଲ । ଏକଦା ଡଲାରକୁ ଟକ୍କର ଦେଉଥିବା ରୁବଲ ଆଜି ଭାରତୀୟ ମୁଦ୍ରାଠାରୁ ତଳକୁ ଖସି ଯାଇଛି । ତେବେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଏହି ଯୁଦ୍ଧଖୋର ମନୋବୃତ୍ତି ପାଇଁ ରୁଷ ଦେବାଳିଆ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥନୀତିଜ୍ଞମାନେ ।

ରୁଷର ଆର୍ଥିକ ମେରୁଦଣ୍ଡ ତୈଳ ହୋଇଥିବା ବେଳେ ବିଭିନ୍ନ ଦେଶ ସେମାନଙ୍କର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ବିଶ୍ୱର ବହୁ ନାମିଦାମୀ କମ୍ପାନୀ ଏବେ ରୁଷ ପରିତ୍ୟାଗ କରିସାରିଛନ୍ତି । ଏଭଳି ସ୍ଥିତିରେ ଦେଶର ଅର୍ଥନୀତି ତଳିତଳାନ୍ତ ଅବସ୍ଥାକୁ ଚାଲିଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଆସନ୍ତା ବର୍ଷ ରୁଷର ଅର୍ଥନୀତି ୭ ପ୍ରତିଶତକୁ ସଙ୍କୁଚିତ ହୋଇଯିବ ବୋଲି ଅର୍ଥନୀତିଜ୍ଞଙ୍କ ରିପୋର୍ଟରୁ ଜଣାପଡ଼ିଛି । ବର୍ଷକ ମଧ୍ୟରେ ରୁଷର ଅର୍ଥନୀତି ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବ ବୋଲି କିଛି ଅର୍ଥନୀତିଜ୍ଞ ମଧ୍ୟ ଆକଳନ କରିଛନ୍ତି । ତୈଳ ଓ ଗ୍ୟାସକୁ ଛାଡ଼ି ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ କରିବାରେ ବିଫଳ ହୋଇଛି ରୁଷ । ଯୁଦ୍ଧରେ ମାତ୍ରାଧିକ ବ୍ୟୟର ପରିଣାମ ସ୍ୱରୂପ ରୁଷ ୧୦୦ ବର୍ଷ ପଛକୁ ଚାଲିଯିବ ବୋଲି କିଛି ଧନୀ ବ୍ୟବସାୟୀ ମତବ୍ୟକ୍ତ କରିଛନ୍ତି ।

ତେବେ ରେଟିଂ ଏଜେନ୍ସିଗୁଡ଼ିକର ଆକଳନ କରିଛନ୍ତି ଯେ, ଆଗାମୀ ଦିନରେ ରୁଷ ଏହାର ଋଣ ଯୋଗାଣକାରୀମାନଙ୍କୁ ଋଣ ପରିଶୋଧ କରିପାରିବ ନାହିଁ । ଫଳରେ ବାଧ୍ୟ ହୋଇ ରୁଷ ଚୀନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଯିବ । ନିକଟରେ ରୁଷ ଚୀନଠାରୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ସହାୟତା ମାଗିଥିବା ଆମେରିକା ଦ୍ୱାରା ପ୍ରଦତ୍ତ ରିପୋର୍ଟରୁ ଜଣାପଡ଼ିଥିଲା । ତେଣୁ ଏଭଳି ସ୍ଥିତିରେ ଭାରତର ଅବସ୍ଥା କ’ଣ ହେବ ତାହା ନିଶ୍ଚିତଭାବେ ଚିନ୍ତାଜନକ । ଗୋଟିଏ ରୁଷ ଭାରତର ପୁରୁଣା ବନ୍ଧୁ ହୋଇଥିବା ବେଳେ ଚୀନ ହେଉଛି ଶତ୍ରୁ ରାଷ୍ଟ୍ର । ତେଣୁ ଏ କ୍ଷେତ୍ରରେ ଭାରତ ସରକାର କୂଟନୈତିକ ସ୍ତରରେ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.