fbpx

ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡରେ ୯୮,୭୭୬ ଟଙ୍କାର ଋଣ ବୋଝ, ଜାଣନ୍ତୁ ଦେଶର ମୋଟ ଋଣ କେତେ

ନୂଆଦିଲ୍ଲୀ: ଆପଣଙ୍କ ମୁଣ୍ଡରେ କେତେ ଟଙ୍କାର ଋଣ ଅଛି, ସେକଥା ଆପଣ ଜାଣିଛନ୍ତି କି? ହୁଏତ ଆପଣମାନଙ୍କ ମଧ୍ୟରୁ କେହି କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇ ଥାଇ ପାରନ୍ତି କିମ୍ବା ନ ଥାଇ ପାରନ୍ତି । ମାତ୍ର ଏକଥାକୁ ଏଡ଼ାଇ ଦେଇ ହେବନି ଯେ ଦେଶର ମୋଟ ଋଣ ପରୋକ୍ଷରେ ଆପଣଙ୍କର ହିଁ ଋଣ । କୋଭିଡ୍ ମହାମାରୀ, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଆଦି କାରଣରୁ ଭାରତ ସରକାର ଋଣ ଭାରତରେ ବୁଡ଼ି ରହିଛନ୍ତି । କେନ୍ଦ୍ର ସରକାରଙ୍କର ଋଣ ବୋଝ ବୃଦ୍ଧି ପାଇ ୧୨୮.୪୧ ଲକ୍ଷ କୋଟିରେ ପହଞ୍ଚିଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଏ ବାବଦରେ ସ୍ପଷ୍ଟଭାବେ କୁହାଯାଇଛି ।

ତେବେ ଏହି କ୍ରମରେ ଦେଶର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ପିଛା ଋଣ ୯୮,୭୭୬ ଟଙ୍କା ରହିଛି । ବର୍ତ୍ତମାନ ଦେଶର ଜନସଂଖ୍ୟା ପାଖାପାଖି ୧୩୦ କୋଟି ହୋଇଥିବା ବେଳେ ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡରେ ପାଖାପାଖି ୧ ଲକ୍ଷ ଟଙ୍କାର କରଜ ରହିଛି । ବିଭିନ୍ନ ସାମାଜିକ କାର୍ଯ୍ୟରେ ସରକାରଙ୍କ ଖର୍ଚ୍ଚ ଭାଗ ଗତ ୨୦୨୧ ଡିସେମ୍ବର ସୁଦ୍ଧା ୯୧.୬୦ ପ୍ରତିଶତରେ ପହଞ୍ଚିଥିଲା ।

କୋଭିଡ୍ ସମୟରେ ମଜଦୁର ଓ ସହରୀ ପ୍ରବାସୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ଖର୍ଚ୍ଚ ବୃଦ୍ଧି ପାଇଥିଲା । ଆୟୁଷ୍ମାନ ଭାରତ ଓ ପିଏଲଆଇ ଯୋଜନାରେ ଫଣ୍ଡିଂ ପାଇଁ ୨.୧୫ ପ୍ରତିଶତ ଅଧିକ କରଜ ନିଆଯାଇଥିଲା । ଗତ ବର୍ଷ ଅକ୍ଟୋବର-ଡିସେମ୍ବର ମଧ୍ୟରେ କୌଣସି କରଜ ନିଆଯାଇ ନଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.