ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ, ଏ ଦୁନିଆରେ ସବୁକିଛି ମିଳିପାରିବ, ମାତ୍ର ମାଆ ମିଳିପାରିବ ନାହିଁ । ମାତ୍ର ଆଜିକାଲିର ମଣିଷ ମାଆର ମୂଲ୍ୟକୁ ବୁଝି ପାରୁନାହିଁ । ନିଜର ଜନ୍ମକଲା ପୁଅ ଜନ୍ମଦାତ୍ରୀଙ୍କୁ ଇଟାରେ ପୋତିବାକୁ ମଧ୍ୟ ପଛାଉ ନାହିଁ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ଗ୍ରାମରୁ ଏଭଳି ଏକ ଅମାନବନୀୟ ଘଟଣା ସାମ୍ନାକୁ ଆସିଛି । ଜମି ପାଇଁ ପୁଅ ଓ ବୋହୂ ମିଶି ବୃଦ୍ଧା ମାଆଙ୍କୁ ଇଟାରେ ପୋତି ଦେଇଛନ୍ତି । ଏହି ହୃଦୟ ବିଦାରକ ଘଟଣାକୁ ଯେ କେହି ଦେଖିଲେ ଆଖିରୁ ଲୁହ ଆସିଯିବ ।
ଖବର ମୁତାବକ, ମଖି ବେହେରା ନାମକ ଜଣେ ବୃଦ୍ଧାଙ୍କର ସ୍ୱାମୀ ୧୦ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ଏହାପରେ ମଖିଙ୍କୁ ଖାଇବାକୁ ଦେବାକୁ ନେଇ ତାଙ୍କର ୪ ପୁଅଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ । ତେବେ ମାଆ ବଡ଼ପୁଅ ପାଖରେ ରହୁଥିବା ବେଳେ ପୁଅ ଓ ବୋହୂ ମଖିଙ୍କ ନିକଟରେ କିଛି ଦାବି ରଖିଥିଲେ । ମାତ୍ର ମଖି ଏହି ଦାବିକୁ ଅଗ୍ରାହ୍ୟ କରିବାରୁ ବଡ଼ପୁଅ ଏହାକୁ ହଜମ କରିପାରିନଥିଲେ । ବଡ଼ପୁଅ ଓ ବୋହୂ ମିଶି ମଖିଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ । ଏଥିସହିତ ବୃଦ୍ଧା ମାଆ ଉପରେ ଶତାଧିକ ଇଟା ରଖି ଦେଇ ଚାଲିଯାଇଥିଲେ । ଏଭଳି ବୃଦ୍ଧା ବୟସରେ ଦୁର୍ବଳ ମାଆ କେମିତି ଏହି ମରଣଯନ୍ତାରୁ ମୁକୁଳିବ ସେକଥା ନରରାକ୍ଷସ ପୁଅବୋହୂ ବୁଝିପାରିନଥିଲେ । ମଖି ଯନ୍ତ୍ରଣାରେ ଝଟପଟ ହେଉଥିବା ବେଳେ ପୁଅ ବୋହୂ ତାମସା ଦେଖୁଥିଲେ । ପରେ ମଖିଙ୍କ ସାନ ବୋହୂ ଓ ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏହି ଘଟଣାରେ ଏକ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।