ପାକିସ୍ତାନରେ ବାଲାଟ୍‌ ପେପର୍‌ ପାଇଁ କାଗଜ ସଙ୍କଟ, ୩ ମାସ ମଧ୍ୟରେ ନିର୍ବାଚନ କରିବାକୁ ମନା କଲେ ଇସି

ଇସଲାମାବାଦ୍‌: ପାକିସ୍ତାନରେ ରାଜନୈତିକ ସଙ୍କଟ ପାଇଁ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାଲାଗି ଜାରିହୋଇଥିବା ନିର୍ଦ୍ଧେଶନାମାରେ ବ୍ୟତିକ୍ରମ ଦେଖାଦେଇପାରେ । କାରଣ ପାକିସ୍ତାନରେ ବାଲାଟ ପେପର ପାଇଁ କାଗଜ ସଙ୍କଟ ଦେଖାଦେଇଛି । ଦୀର୍ଘଦିନ ଧରି ଲାଗି ରହିଥିବା ରାଜନୈତିକ ଆବହାୱା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବିରୋଧୀ ଦଳଙ୍କୁ ଚକମା ଦେଇ ସଂସଦ ଭଙ୍ଗ କରିଥିଲେ । ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳ ସଂସଦରେ ଆଣିଥିବା ଅନାସ୍ଥା ଭୋଟ୍‌କୁ ଟାଳିବାକୁ ସକ୍ଷମ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସଂସଦ ଭଙ୍ଗ କରିବା ଲାଗି ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭିଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିଲେ । ଆଉ ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏବେ ପାକିସ୍ତାନ ନିର୍ବାଚନ କମିଶନ ଆଗାମୀ ତିନି ମାସ ମଧ୍ୟରେ ସାଧାରଣ ନିର୍ବାଚନ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି । ଅନେକ ଆଇନଗତ ବାଧା ଥିବାରୁ ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ପାକିସ୍ତାନର ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଡନ୍‌ ଖବରକାଗଜକୁ କହିଛନ୍ତି ଯେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ପ୍ରାୟ ୬ ମାସ ସମୟ ଲାଗିବ । ସେ କହିଛନ୍ତି ଯେ ଭୋଟର ତାଲିକାକୁ ଅପଡେଟ କରିବା ସହ, ନିର୍ବାଚନ ସାମଗ୍ରୀ କ୍ରୟ, ବାଲାଟ ପେପର ବ୍ୟବସ୍ଥା, ମତଦାନ କର୍ମଚାରୀଙ୍କ ନିଯୁକ୍ତି ଏବଂ ତାଲିମ ଇତ୍ୟାଦି ଆହ୍ୱାନ ରହିଛି । ସେ କହିଛନ୍ତି ଯେ, ଆଇନ ଅନୁଯାୟୀ ୱାଟର ମାର୍କ ହୋଇଥିବା ବାଲାଟ ପେପର ବ୍ୟବହାର କରିବାକୁ ପଡିବ । ଯାହା ଦେଶରେ ଉପଲବ୍ଧ ନାହିଁ ଏବଂ ଆମଦାନୀ କରିବାକୁ ପଡିବ ।