fbpx

ପ୍ରତିବର୍ଷ ଚତୁଃରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ପ୍ରସଙ୍ଗ: ବିସିସିଆଇ ସହିତ ଆଲେଚନା କରିବେ ରମିଜ ରାଜା

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି ଯେ ପ୍ରତିବର୍ଷ ଭାରତ,ଅଷ୍ଟ୍ରେଲିଆ , ଇଂଲଣ୍ଡ ଓ ପାକିସ୍ତାନକୁ ନେଇ ଏକ ଚତୁଃରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଆମେ ଏକ ଯୋଜନା କରିଛୁ । ଏଥିପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ସମ୍ମତି ପ୍ରକାଶ କରିଛି । ମାତ୍ର ଇଂଲଣ୍ଡ ଓ ଭାରତ ପକ୍ଷରୁ କୌଣସି ମତାମତ ମିଳିନାହିଁ । ତେଣୁ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗ ନେଇ ବିସିସିଆଇ ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲେଚନା କରିବୁ । କାରଣ ଆଇସିସି ବୈଠକ ଚାରି ଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ ବିସିସିଆଇ ପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ ଇଛା ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଫଇଜଲ ହାସନେନ ।

ସୂଚନା ଯୋଗ୍ୟ ଯେ ରମିଜ ରାଜା ଜଣେ ଭଲ କ୍ରିକେଟର ଓ ଟିଭି ଘୋଷକ ଭାବେ ଜଣାଶୁଣା । ତେବେ ଅଳ୍ପଦିନ ତଳେ ସେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତୀୟ କ୍ରିକେଟର ଓ ବିସିସିଆଇ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ତେବେ ବିଭିନ୍ନ କାରଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ବିଚ୍ଛିନ୍ନ ହୋଇ ପଡିଛି । ତେଣୁ ବହୁଦିନ ଧରି ଉଭୟ ଦେଶ ମଧ୍ୟରେ ଦ୍ୱିାକ୍ଷିକ ସିରିଜ ଅନୁଷ୍ଠିତ ହୋଇ ପାରୁନି । ଏହାର ମୁଖ୍ୟ କାରଣ ହେଲା ଯେ ପାକିସ୍ତାନ ସମର୍ଥୀତ ଆତଙ୍କବାଦୀ ଭାରତରେ ସବୁବେଳେ ବିଶୃଙ୍ଖଳା ସୃଷ୍ଟି କରି ଆସୁଥିବା ଦୃଷ୍ଟିରୁ ପାକିସ୍ତାନ ବିରୋଧରେ କୌଣସି କ୍ରିକେଟ ସମ୍ପର୍କ ସ୍ଥାପନ ନ କରିବାକୁ କେନ୍ଦ୍ର ସରକାର ଇଛା କରୁ ନାହାନ୍ତି । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିବା ଯାଏଁ କ୍ରିକେଟ ସମ୍ପର୍କ ପୁନଃ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି ବିସିସିଆକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି ।

ଅନ୍ୟ ପକ୍ଷରେ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ନ ଥିବାରୁ ପାକିସ୍ତାନ କ୍ରିକେଟର ମାନେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ଆଇପିଏଲରେ ପାକିସ୍ତାନର କୌଣସି ଖେଳାଳି ସାମିଲ ହୋଇ ପାରୁ ନାହାନ୍ତି । ତେଣୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଆୟୋଜନ କରିବାକୁ ଚାହୁଁଥିବା ଚତୁଃରାଷ୍ଟ୍ରୀୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ପାଇଁ ବିସିସିଆଇ ରାଜି ହେବ ନାହିଁ ବୋଲି ଅନୁମାନ । ତେବେ ଭାରତ ଏଥିରେ ରାଜି ହେବ ବୋଲି ରମିଜ ରାଜା ବଡ ଆଶା ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱର ଯେ କୌଣସି ସ୍ଥାନରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଲେ ଏହାକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀ ଆଗ୍ରହ ପ୍ରକାଶ କରିଥାନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ବିକ୍ରି ଏକଘଣ୍ଟା ମଧ୍ୟରେ ଶେଷ ହୋଇ ଯାଇଥିଲା ।

Get real time updates directly on you device, subscribe now.