କୋଭିଡ ଟୀକାରେ ଝିଅର ମୃତ୍ୟୁ ହୋଇଥିବା ଦାବି: କ୍ଷତିପୁରଣ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଅଭିଭାବକ

କୋଭିସିଲ୍ଡ ଟୀକା ନେବା ଦ୍ୱାରା ପିଜି ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ଅଭିଭାବକ । ସେମାନେ ଦାବି କରିଛନ୍ତି ସିରମ ଇନ୍ସଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଏହି ଟୀକା ନେବା ଫଳରେ ତାଙ୍କ ଝିଅର ମୃତ୍ୟୁ ଘଟିଛି । ତାଙ୍କର ଏକମାତ୍ର ଝିଅର ମୃତ୍ୟୁ ପରେ ପରିବାର ଲୋକେ ଏକ କୋଟି ଟଙ୍କା କ୍ଷତିପୁରଣ ମାଗିଛନ୍ତି । ଏଥି ପାଇଁ ପରିବାର ଲୋକେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସିରମ ଇନ୍ସଟିଚ୍ୟୁଟକୁ ଦାୟୀ କରିଛନ୍ତି ।

ସାବୁ ସି ଥୋମାସ ଏବଂ ତାଙ୍କ ସ୍ତ୍ରୀ ହାଇକୋର୍ଟଙ୍କ ନିକଟରେ ଦାଖଲ କରିଥିବା ପିଟିସନରେ ଦର୍ଶାଇଛନ୍ତି ଯେ ତାଙ୍କ ଝିଅ ନୋଭା ସାବୁ କୋଚିର ଏକ ପ୍ରାଇଭେଟ ମେଡିକାଲରେ କୋଭିସିଲ୍ଡ ଭାକ୍ସିନ ନେଇଥିଲେ । ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୁଣ୍ଡବିନ୍ଧ। ଏବଂ ଜର ପାଇଁ ଚିକିତ୍ସା କରାଯାଇଥିଲା ବୋଲି ସେମାନେ କହିଛନ୍ତି । ଏହା ପରେ ନୋଭାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ଆହୁରି ଦୁର୍ବଳ ହୋଇଯାଇଥିଲେ । ଥକାପଣ, ମୁଣ୍ଡବିନ୍ଧା ଅନୁଭବ କରିବା ସହ ବାନ୍ତି କରିଥିଲେ । କିଛି ସମୟ ପରେ, ସେ ଚେତାଶୂନ୍ୟ ହୋଇ ଅସ୍ଥିର ହେବାକୁ ଲାଗିଥିଲେ । ତା’ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପରେ ସେ ଅଗଷ୍ଟ ୧୨ ତାରିଖରେ ଶରୀର ଭିତରେ ପ୍ରବଳ ରକ୍ତସ୍ରାବ କାରଣରୁ ମୃତ୍ୟୁ ବରଣ କରିଥିଲେ । ଝିଅର ମୃତ୍ୟୁ ପରେ ପରିବାର ଲୋକେ ମାନବାଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହା ପରେ ପଠାଣମୁର୍ତ୍ତି ଜିଲ୍ଲା ମେଡିକାଲ କଲେଜ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତରେ ଟିକା ନେବା କାରଣରୁ ନୋଭାଙ୍କର ମୃତ୍ୟୁ ଘଟିଥିବାର କୌଣସି ପ୍ରମାଣ ମିଳି ନଥିଲା । ତେବେ ନୋଭା କୋଭିସିଲ୍ଡର ପ୍ରଥମ ଡୋଜ ନେବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ନୋଭା ଥ୍ରୋମ୍ବୋସାଇଟୋପେନିଆ, ଥ୍ରୋମ୍ବୋସିସ୍ ସିଣ୍ଡ୍ରୋମ୍ର ଶିକାର ହୋଇଥାଇ ପାରନ୍ତି ବୋଲି ତଦନ୍ତ ପରେ କୁହାଯାଇଥିଲା । ଏହା ଟୀକା ନେବାର ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା ହୋଇଥାଏ । କୋଭିସିଲ୍ଡ ଟିକାର ପରୀକ୍ଷଣ ସମୟରେ ଇଲଂଣ୍ଡରେ ଏହି ପ୍ରକାର ଦୁର୍ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ପିଟିସନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ତାଙ୍କର ପକ୍ଷ ରଖିବାକୁ କହିଛନ୍ତି ।