ଆଗାମୀ ୫ରୁ ୬ ମାସ ମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇପାରେ । ନିର୍ବାଚନ ପୁର୍ବରୁ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଲାଣି । ଶ୍ରୀ ଖୋଡଲାଧାମ ଟ୍ରଷ୍ଟ ଅଧ୍ୟକ୍ଷ ନରେସ ପଟେଲଙ୍କୁ ତାଙ୍କ ସହିତ ଯୋଡ଼ିବାକୁ ସମସ୍ତ ଦଳ ଚେଷ୍ଟା କରୁଥିବା ବେଳେ, କଂଗ୍ରେସର ହାର୍ଦ୍ଦିକ ପଟେଲ ନିଜ ଦଳର ନେତାଙ୍କ ଉପରେ ଅସନ୍ତୋଷ ରହିଛନ୍ତି ।
ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ହାର୍ଦ୍ଦିକ ଦଳ ଛାଡ଼ି ପାରନ୍ତି । ନିକଟରେ ହାର୍ଦ୍ଦିକ ଦେଇଥିବା ଏକ ବୟାନ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରି ଦେଇଛି । ସେପଟେ ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟ ସଭାପତି ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ।
ଏକ ସାକ୍ଷାତକାରରେ ହାର୍ଦ୍ଦିକ କହିଛନ୍ତି ଯେ, କିଛି ନେତା ଚାହୁଁଛନ୍ତି ଯେ ସେ କଂଗ୍ରେସ ଛାଡ଼ି ଦିଅନ୍ତୁ । ୨୦୧୭ରେ ପଟିଦାର ସମାଜ କଂଗ୍ରେସକୁ ଭୋଟ ଦେଇଥିଲା । ଏବେ କଂଗ୍ରେସ ତାଙ୍କୁ ଅପମାନ କରୁଛି । ରାଜ୍ୟ କଂଗ୍ରେସର କୌଣସି ବୈଠକରେ ତାଙ୍କୁ ଡକାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ପାର୍ଟିର କୌଣସି ନିଷ୍ପତି ବିଷୟରେ ତାଙ୍କ ସହିତ ଆଲୋଚନା କରାଯାଉନାହିଁ । ୨୦୧୭ରେ ପଟିଦାରଙ୍କ ଭୋଟ ପାଇଁ କଂଗ୍ରେସ ତାଙ୍କୁ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପାର୍ଟିରେ ତାଙ୍କୁ ଏକ ନୂଆ ବୋହୁପରି କରି ଦିଆଯାଇଛି । ଯିଏ ବିବାହ ପରେ ଚୁପ ଚାପ୍ ରହେ ।
ଏହାର ଉତ୍ତରରେ କଂଗେସ ରାଜ୍ୟ ସଭାପତି କହିଛନ୍ତି ଯେ, ସେ ଏହି ବିଷୟରେ ହାର୍ଦ୍ଦିକଙ୍କ ସହିତ ଆଲୋଚନା କରିବେ । ପାର୍ଟି ଅଫିସକୁ ଡାକି ତାଙ୍କ ସହିତ ସମ୍ପୁର୍ଣ୍ଣ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି । ତେବେ ଖବର ମୁତାବକ ପାର୍ଟିରେ ନରେସ ପଟେଲଙ୍କ ସାମିଲ କରିବାକୁ ନେଇ ହାର୍ଦ୍ଦିକ ଅସନ୍ତୋଷ ଥିବା କୁହାଯାଉଛି ।