ମାହାଙ୍ଗା ଗଣହତ୍ୟା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ…

କଟକ(ଓଡ଼ିଶା ଭାସ୍କର): କଟକ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଜଣାପଡିଛି । ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ଟଣାଭିଡ଼ା, ଜୋରଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ସହ ରିପୋର୍ଟରେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ସୂଚନା ନାହିଁ । ଏନେଇ କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି ।

ତେବେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ମୃତକମାନେ ହେଲେ; ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)। ସମସ୍ତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା କହିଛି ଅଭିଯୁକ୍ତ ସାନଭାଇ ଶିବପ୍ରସାଦ ସାହୁ।

ଏହା ସହ ହତ୍ୟାକାଣ୍ତ ସମୟରେ ଶିବ ଉଲଗ୍ନ ଥିଲା। ଘରର ଶୌଚାଳୟକୁ ଯାଇ ଦେହରେ ଲାଗିଥିବା ରକ୍ତଛିଟାକୁ ପାଣିରେ ଧୋଇ ଦେଇଥିଲା। କିଛି ସମୟ ପରେ ଲୁଗା ପିନ୍ଧି ଛାତ ଉପରେ ବୁଲି ପବନ ଖାଇଥିଲା। କାଳେ ସେମାନେ ବଂଚିଥିବେ ପ୍ରମାଣ ନଷ୍ଟ ପାଇଁ ପୁର୍ନବାର ତଳକୁ ଆସି ଚମାର କଟୁରି ସାହାଯ୍ୟରେ ସମସ୍ତଙ୍କ ହାତର ଶିରା ଓ ଗୋଡ଼ ଗୋଛିକୁ କାଟିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଲୁଗାପଟାରେ ଲାଗିଥିବା ରକ୍ତଛିଟାକୁ ଧୋଇ ଶୌଚ ହୋଇଥିଲା। ଭୋର୍‌ ସମୟରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଭଡ଼ାଘରକୁ ପଳାଇ ଆସିଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ଗାଁରେ ବୁଲା ବୁଲି କରିବା ସହ ଏକ ଦୋକାନରୁ ଇଟିଲି ଖାଇ ଚା’ ପିଇଥିଲା। ଏହାପରେ ଭଡ଼ାଘର ନିକଟରେ ଥିବା ଏକ ବିଲକୁ ଯାଇ ଖଜୁରି ଗଛ ନିକଟରେ ନିଜର ଦୋଷ ସ୍ବୀକାର କରି ଭିଡିଓ ଭାଇରାଲ୍‌ କଲା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା।