ନୂଆଦିଲ୍ଲୀ: କିଛି ମାସର ବ୍ୟବଧାନ ପରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ିବାରୁ ଦିଲ୍ଲୀକୁ ପୁଣି ଫେରିଛି କଟକଣା । ଦିଲ୍ଲୀରେ ପୁଣି କଡ଼ାକଡ଼ି ହୋଇଛି କୋଭିଡ କଟକଣା । ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ନିୟମ ଉଲ୍ଲଙ୍ଘନ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଡିଡିଏମଏ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଦିଲ୍ଲୀ- ଏନସିଆର ସମେତ ଗାଜିଆବାଦରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହା ସହ ମୋଟ ପଜିଟିଭ ମାମଲା ୧୩୯କୁ ବୃଦ୍ଧି ପାଇଛି । ଏପ୍ରିଲ ମାସରେ କରୋନାର ୨୨୧ ମାମଲା ସାମ୍ନାକୁ ଆସିଥିଲା ।
ତେବେ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଡିଡିଏମଏର ବୈଠକ ହୋଇଛି । ଏଥିରେ ସିଏମ୍ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସତ୍ୟନ୍ଦ୍ର ଜୈନଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ଅନ୍ୟପଟେ ଦେଶରେ ଆଜି ୨,୦୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୬୫.୭ ପ୍ରତିଶତ ବଢ଼ିଛି ସଂକ୍ରମଣ । ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ।