fbpx

ବଢ଼ୁଛି କୋଭିଡ-୧୯ ସଂକ୍ରମଣ: ବୋର୍ଡ ପରୀକ୍ଷାକୁ ବାତିଲ୍ କରିବା ନେଇ ଦାବି ଉଠାଇଲେ CBSE, ISC ଓ ICSE ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ସପ୍ତାହରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ), ଆଇସିଏସଇ, ଓ ଆଇଏସସି ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା ପାଇଁ ଆଉ କମ୍ ଦିନ ବାକି ଥିବାବେଳେ ଦିଲ୍ଲୀ ଏନସିଆରର ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ୍ କରିବାକୁ ଦାବି କରିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ସମୟରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରୁଛନ୍ତି । ପୂର୍ବରୁ ସିବିଏସଇ ଦଶମ ପରୀକ୍ଷା ଏପ୍ରିଲ ୨୬ରୁ ମେ ୨୪କୁ ଓ ସିବିଏସଇ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୬ରୁ ଜୁନ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ସେହିପରି କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସନ (ସିଆଇଏସସିଇ) ପକ୍ଷରୁ ଆଇସିଏସଇ ଓ ଆଇଏସସି ଟର୍ମ-୨ ପରୀକ୍ଷାକୁ ଏପ୍ରିଲ ୨୫ରୁ ମେ ୨୩କୁ ଓ ଏପ୍ରିଲ ୨୬ରୁ ଜୁନ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

ଗତ ସପ୍ତାହରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍କୁଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଥିଲା । କୌଣସି ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ କୋଭିଡରେ ସଂକ୍ରମିତ ହେଲେ ସଙ୍ଗେସଙ୍ଗେ ଉକ୍ତ ସ୍କୁଲକୁ ବନ୍ଦ କରିବାକୁ କୁହାଯାଇଥିଲା । ଏହାପରେ ଏନସିଆରର କିଛି ସହରର ପିଲାମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ ।

କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବହୁ ଛାତ୍ରଛାତ୍ରୀ, ଅଭିଭାବକ ସୋସିଆଲ ମିଡ଼ିଆରେ ‘କ୍ୟାନସଲ ବୋର୍ଡ ଏକଜାମ ୨୦୨୨’ ଦାବି ଉଠାଇଛନ୍ତି । ଏନେଇ ଅନେକ ଛାତ୍ରଛାତ୍ରୀମାନେ ଟ୍ୱିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି, ତେଣୁ ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୨୨ ବୋର୍ଡ ପରୀକ୍ଷାକୁ ବାତିଲ କରିବା ଦରକାର । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କେହି ନିଜର କର୍ତ୍ତବ୍ୟ ଠିକ୍ ଭାବେ ନିର୍ବାହ କରୁନାହାନ୍ତି ।

Get real time updates directly on you device, subscribe now.