ରୁଷର ୟୁକ୍ରେନ ଉପରେ ଆକ୍ରମଣ, ଭାରତର ପାକିସ୍ତାନ ଉପରେ କେବେ! ୨୦୨୪ ନିର୍ବାଚନ ପୂର୍ବରୁ PoK ଦଖଲ କରିପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠାଇ ସମଗ୍ର ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ତେବେ ଅନୁରୂପ ଭାବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ବିଶ୍ୱର ରାଜନୈତିକ ପରିସ୍ଥିତି ବଦଳିବାରେ ଲାଗିଥିବା ବେଳେ ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ଭାରତକୁ ନିଜ ସପକ୍ଷକୁ ନେବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି ।

ନିକଟରେ ଆମେରିକାର ମହିଳା ସାଂସଦ ଇଲହାନ ଓମାର ପିଓକେ ଅଞ୍ଚଳ ଗସ୍ତ କରିଥିଲେ । ତେବେ ଆମେରିକାର ଏହି କାର୍ଯ୍ୟକୁ ଭାରତ କଡ଼ା ନିନ୍ଦା କରିବା ପରେ ଇଲହାନଙ୍କ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ଅନ୍ୟପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲଗାତାର କଥାବାର୍ତ୍ତା କରୁଛନ୍ତି । ପାକିସ୍ତାନ ପିଓକେକୁ ନେଇ କୌଣସି ବୟାନ ଦେବାକୁ ମନା କରିଦେଇଥିବା ବେଳେ ଭାରତ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରୁଥିବା ଜଣାପଡ଼ିଛି ।

ଆସନ୍ତା ମେ ମାସରେ ପିଓକେରେ ମୋଦୀଙ୍କ ନେତୃତ୍ୱରେ ଏକ ମେଗା ରାଲି ହେବାକୁ ଯାଉଛି । ଆସନ୍ତା ୨୦୨୪ ନିର୍ବାଚନରେ ପିଓକେ ବିଜେପିର ମୁଖ୍ୟ ମୁଦ୍ଦା ରହିବ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ରୁଷ ଭାରତର ସପୋର୍ଟ ଚାହୁଁଛି । ଅନ୍ୟପଟେ ପାକିସ୍ତାନରେ ନିକଟରେ ନୂଆ ସରକାର ଗଠନ ହୋଇଥିବା ବେଳେ ଏହା ଭାରତ ପାଇଁ ପିଓକେ ହାସଲ କରିବା ଏକ ସୁଯୋଗ ବୋଲି କୁହାଯାଇପାରେ । ସେହିପରି ୨୦୨୪ ପୂର୍ବରୁ ପିଓକେ ଭାରତ ଅଧୀନକୁ ଆସିବ ବୋଲି ଗତ ଜାନୁଆରୀ ମାସରେ କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ ବୟାନ ଦେଇଥିଲେ । ପିଓକେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରୟାସ ଜାରି ରଖିଥିବା ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନକୁ କବଜା କରିବାକୁ ରୁଷ ଯେଉଁ ନୀତି ଆପଣାଇଛି, ଅନୁରୂପ ଭାବେ ପୁଟିନଙ୍କର ବନ୍ଧୁ ମୋଦୀ ମଧ୍ୟ କିଛି ଷ୍ଟ୍ରାଟେଜି ଆପ୍ଲାଏ କରିପାରନ୍ତି । ସୋଭିଏତ ସଂଘର ପୁରୁଣା ରାଷ୍ଟ୍ର ୟୁକ୍ରେନ ଉପରେ ରୁଷ ଯଦି ଆକ୍ରମଣ କରିପାରୁଛି ତେବେ ଭାରତ ନିଜର ଅବିଚ୍ଛେଦ୍ୟ ଅଙ୍ଗ ପିଓକେକୁ ହାସଲ ପାଇଁ ପାକିସ୍ତାନ ଉପରେ କାହିଁକି ଆକ୍ରମଣ କରିପାରିବ ନାହିଁ ବୋଲି କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ଦେଖିବାକୁ ମିଳିଥିଲା ।