fbpx

ବିବାହ ପ୍ରତିଶ୍ରୁତି ଦେଇ ରଖିଲା ଶାରୀରିକ ସମ୍ପର୍କ, ପରେ ପ୍ରତାରଣା ଦେଇ ଅନ୍ୟ ଝିଅକୁ କଲା ବିବାହ: କଳାହାଣ୍ଡିର ଅଭିଯୁକ୍ତ ପ୍ରେମିକ ଗିରଫ

ମ.ରାମପୁର (ଓଡ଼ିଶା ଭାସ୍କର) : ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କ ସହ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡୁମେରପଦର ଗ୍ରାମର ରାଜକିଶୋର ନାଏକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜକିଶୋର ସଂପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ପ୍ରତାରଣ କରି ରାଜକିଶୋର କାଶିପୁର ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଗତ ୨୨ ତାରିଖ ବିବାହ କରିଥିଲା ।

ଏନେଇ ଯୁବତୀ ଜଣକ କୌଣସି ସୂତ୍ରରୁ ଖବରପାଇ ଘରକୁ ପହଞ୍ଚିଥିଲେ ହେଁ ରାଜକିଶୋର ଧରାଛୁଆଁ ଦେଇନଥିଲା । ପରେ ଫୋନ୍ ମାଧ୍ୟମରେ ସମ୍ପୃକ୍ତ ଯୁବତୀଙ୍କୁ ଧମକ ଦେଇଥିଲା । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାକୁ ନେଇ ଘଟଣା ବିଷୟରେ ପଚରାଉଚରା କରିଥିଲା । ଏନେଇ ଏକ ମାମଲା ରୁଜୁକରି ଉଭୟଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ପରେ ରାଜକିଶୋରକୁ ଗିରଫ କରି ପୋଲିସ୍ କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.