ପୁଣି ଫେରିଲା ଲକଡାଉନ୍: ୨୭ଟି ସହରରେ ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା

ବିଜିଂ: ଚୀନରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ପଲିସି କାରଣରୁ ହଇଚଇ ସୃଷ୍ଟି ହୋଇଛି । ଜାରି ହୋଇଥିବା କୋଭିଡ ପଲିସି କାରଣରୁ ଅଳ୍ପ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଚୀନର ବର୍ତ୍ତମାନ ୨୭ଟି ସହରରେ ଲକଡାଉନ୍ ଲାଗିଛି । ସେହି ସହରରେ ରହୁଥିବା ପ୍ରାୟ ୧୬.୫ କୋଟି ଲୋକ ନିଜ ନିଜ ଘରେ ବନ୍ଦୀ ଅଛନ୍ତି ।

ଚୀନର ଆର୍ଥିକ ରାଜଧାନୀ ସାଂଘାଇ ଓ ରାଜନୈତକ ରାଜଧାନୀ ବିଜିଂ ଏଥିରେ ସାମିଲ ଅଛି । ସେଠାରେ ଲୋକଙ୍କର ସପ୍ତାହରେ ୩ ଥର ଟେଷ୍ଟ କରାଯାଉଛି । ଅନ୍ୟପଟେ ପ୍ରାୟ ଅଢ଼େଇ କୋଟିରୁ ଅଧିକ ଥିବା ଚୀନର ବିଜିଂରେ ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି ଓ ବିବାହ, ଅନ୍ତିମ ସଂସ୍କାର ଉପରେ ନିଷେଧାଦେଶ ଦିଆଯାଇଛି ।

ସିଏନଏନ୍ ରିପୋର୍ଟ ମୁତାବକ, ଅତି କମରେ ଚୀନର ୨୭ ଟି ସହରରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନ୍ ଲାଗିଛି । ସେହି ସହରରେ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ଦିଆଯାଉ ନାହିଁ । ଲକଡାଉନ୍ ପୂର୍ବରୁ ସେହି ଅଞ୍ଚଳଗୁଡ଼ିକରେ କୌଣସି ଚେତାବନୀ ଦିଆଯାଇନଥିଲା । ଫଳରେ ଅଚାନକ୍ ବାହାରକୁ ଯିବା ଉପରେ ରୋକ୍ ଲଗାଇବାରୁ ଅରାଜକତା ସୃଷ୍ଟି ହେଉଛି । ଲୋକଙ୍କ ମଧ୍ୟରେ ଖାଦ୍ୟ ଓ ଜଳର ଅଭାବ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.