ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଅନେକ ଅପେକ୍ଷା ପରେ ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ବିଜ୍ଞପ୍ତି ଅନୁସାରେ, ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ ।

ଦୁଇ ଦିନ ପୂର୍ବରୁ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନ ଦେଇଥିଲେ ନିର୍ବାଚନ କମିଶନ । ମେ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ଆୟୋଗ । ଏନେଇ ବିଧିବଦ୍ଦ ବିଜ୍ଞପ୍ତି ମେ ୪ ତାରିଖରେ ପ୍ରକାଶ ପାଇବ । ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ । ଏହା ପରେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ମେ ୧୭ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଧାର୍ଯ୍ୟ ହୋଇଛି । ମେ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍ ୩ ତାରିଖରେ ଭୋଟ ଗଣନା ହେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।