fbpx

ଭାଙ୍ଗିଗଲା ଚେନ୍ନାଇର ପ୍ଲେଅଫ ସ୍ୱପ୍ନ: କନୱେଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ହାରିଲା ଧୋନୀବାହିନୀ

ମୁମ୍ବାଇ: ଭାଙ୍ଗିଯାଇଛି ଚେନ୍ନାଇର ପ୍ଲେଅଫ ସ୍ୱପ୍ନ । ଚଳିତ ସିଜନରୁ ମୁମ୍ବାଇ ପରେ ଦ୍ୱିତୀୟ ଦଳ ଭାବେ ବିଦାୟ ନେଇଛି ସିଏସକେ । ୧୦ଟି ମ୍ୟାଚରୁ ମାତ୍ର ୩ଟି ବିଜୟ ହାସଲ କରିଥିବା ଚେନ୍ନାଇ ହାତରେ ପ୍ଲେଅଫରେ ପହଞ୍ଚିବାର ସମସ୍ତ ଆଶା ଶେଷ ହୋଇଯାଇଛି । ଆଜି ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ପରାଜୟ ଦଳକୁ ପ୍ଲେଅଫରୁ ବିତାଡିତ କରିଛି । ତେବେ ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ଚେନ୍ନାଇ ପ୍ଲେଅଫରେ ପହଞ୍ଚିବାରେ ଅକ୍ଷମ ହୋଇଛି । ପୂର୍ବରୁ ୨୦୨୦ରେ ପ୍ରଥମ ଥର ପାଇଁ ପ୍ଲେଅଫରୁ ବାଦ ପଡିଥିଲା ଚେନ୍ନାଇ ସୁପର କିଙ୍ଗସ ।

୧୭୪ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟର ସାମନା କରିଛି । ଓପନିଙ୍ଗ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନୱେଙ୍କ ସୁନ୍ଦର ଆରମ୍ଭ ପରେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିନି ଚେନ୍ନାଇ । ତେବେ ଅଧିକାଂଶ ଖେଳାଳି ଦୁଇ ଅଙ୍କରେ ମଧ୍ୟ ପହଞ୍ଚି ପାରି ନାହାନ୍ତି । ଦଳ ତରଫରୁ ଡେଭନ କନୱେ ୩୭ ବଲରୁ ୨ ଛକା ଏବଂ ୬ଟି ଚୌକା ସହ ୫୬ ରନ ସଂଗ୍ରହ କରିଥିଲେ । ତେବେ ମୋଇନ ଅଲୀ ୨୭ ବଲରେ ୩୪, ଋତୁରାଜ ୨୮, ରାୟୁଡୁ ୧୦ ଏବଂ ପ୍ରଟୋରିୟସ ୧୩ ରନ କରି ପାଭିଲିୟନ ଫେରିଥିଲେ । ଏମାନଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ଖେଳାଳି ଦୁଇ ଅଭ୍କ ଚୁଇଁବାରେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ରବିନ ଉତ୍ଥାପା, ଷ୍ଟାର ଅଲରାଉଣ୍ଡର ଜାଡେଜା ଏବଂ ଅଧିନାୟକ ଧୋନୀ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଛନ୍ତି । ଫଳରେ ୮ ୱିକେଟ ବିନିମୟରେ ମାତ୍ର ୧୬୦ ରନ କରିବାରେ ସକ୍ଷମ ହୋଇପାରିଛି ସିଏସକେ ।

ବାଙ୍ଗାଲୋର ପକ୍ଷରୁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ହର୍ଷଲ ପଟେଲ । ୪ ଓଭରରୁ ୩୫ ରନ ବ୍ୟୟ କରି ୩ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଛନ୍ତି ସେ । ତାଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ୨୨ ରନ ଦେଇ ୨ଟି ୱିକେଟ ନେଇଛନ୍ତି । ଅନ୍ୟ ପକ୍ଷରେ ଶେହବାଜ ଅହମଦ, ଜୋସ ହାଜେଲଉଡ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ଏକମାତ୍ର ଖେଳାଳି ଭାବରେ ମହମ୍ମଦ ସିରାଜ ୱିକେଟ ଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.