fbpx

ପୁରୀଠାରୁ ୧୩ ଶହ କିମି ଦୂରରେ ଅବପାତ: ୮ ବେଳକୁ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ଆଇଲ୍ୟାଣ୍ଡର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅବପାତର ସ୍ଥିତିକୁ ନେଇ ଆଜିଛି ତାଜା ଅପଡେଟ୍ । ପୋର୍ଟବ୍ଲେୟାର ଠାରୁ ୩୦୦ କିମି ଦୂରରେ ଅଛି ଅବପାତ । ପୁରୀର ଦକ୍ଷିଣ ଦକ୍ଷିଣ ପୂର୍ବରେ ୧୩ ଶହ କିମି ଦୂରରେ ରହିଛି ଏହି ଅବପାତ । ମେ’ ୮ ବେଳକୁ ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।

କିନ୍ତୁ ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ କହିବା ମୁତାବକ, ‘୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ବାତ୍ୟା । ଦିଗ ବଳଦାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବନି । ଓଡ଼ିଶା ହେଉ କି ଆନ୍ଧ୍ୟ, ବାତ୍ୟା କେଉଁଠାରେ ଲ୍ୟାଣ୍ଡଫଲ୍ କରିବନି । ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ ଯିବ ବାତ୍ୟା ।’

୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା ଚାଲିଆସିବାକୁ ପରାମର୍ଶ ଦିଆଯାଇଛି । ୧୦ ସନ୍ଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା ହେବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମଡିର ଡିଜି କହିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆସାନର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶନିବାର ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଏକ ପ୍ରେସମିଟ୍ କରି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ବରମୁଣ୍ଡାରେ ଶ୍ରୀ ଉପାଧ୍ୟାୟ ପ୍ରେସମିଟ୍ କରି ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହା ସହ ପ୍ରତି ଜିଲ୍ଲା ହେଡ୍ କ୍ୱାଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସରଞ୍ଜାମଗୁଡ଼ିକୁ ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.