fbpx

ଓଡ଼ିଶାକୁ ପୁଣି ଫେରିଲା କି କରୋନା: ଗୋଟିଏ ଦିନରେ ୬୪ ଜଣ ପଜିଟିଭ୍, ବଢ଼ାଇଲା ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ କମି ଆସୁଥିବା ବେଳେ ଆଗକୁ ଚତୁର୍ଥ ଲହର ଆସିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ୬୪ ଜଣ ପଜିଟିଭ୍ ଚିହ୍ନଟ ହେବା ଆଶଙ୍କାକୁ ବଢ଼ାଇ ଦେଇଛି । ରାୟଗଡ଼ାର କୋଟଲାଗୁଡ଼ା ଅନ୍ୱେଷା ହଷ୍ଟେଲର ୪୪ ଜଣ ଅନ୍ତେବାସୀ କୋଭିଡରେ ସଂକ୍ରମିତ ହୋଇଛନ୍ତି ।

ସେହିପରି ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦-୧୫ ମଧ୍ୟରେ ରହୁଥିବା ବେଳେ ଗୋଟିଏ ହଷ୍ଟେଲରୁ ଏତେସଂଖ୍ୟକ ପଜିଟିଭ୍ ମିଳିବା ନିହାତିପକ୍ଷେ ଚିନ୍ତାଜନକ । ତେବେ ସମସ୍ତ ସଂକ୍ରମିତଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଗ୍ରୀଷ୍ମ ଛୁଟି ପାଇଁ ସ୍କୁଲ ୬ ବନ୍ଦ ରହିଥିଲା ଓ ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ତେବାସୀଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ମୋଟ ୨୫୭ ଜଣଙ୍କର ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଆସିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ହଷ୍ଟେଲକୁ ଯାଇ ଅନ୍ତେବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟପଟେ ବିଷମକଟକ ବ୍ଲକ ହାଟମୁନିଗୁଡ଼ା ସ୍କୁଲର ପଜିଟିଭ୍ ଚିହ୍ନଟ ହୋଇଥିବା ଅନ୍ତେବାସୀଙ୍କୁ ଗୃହ ସଙ୍ଗରୋଧରେ ରଖି ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।

Get real time updates directly on you device, subscribe now.