fbpx

ମମତା କ୍ୟାବିନେଟର ବଡ ନିଷ୍ପତ୍ତି, ରାଜ୍ୟପାଳ ନୁହେଁ ଏବେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ଵ ବିଦ୍ୟାଳୟର କୁଳାଧିପତି

କୋଲକାତା: ଏବେ ରାଜ୍ୟ ଦ୍ଵାରା ସଞ୍ଚାଳିତ ବିଶ୍ଵ ବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେବେ। ଏମିତି ନିଷ୍ପତ୍ତି ନେଇଛି ପଶ୍ଚିମବଙ୍ଗ କ୍ୟାବିନେଟ୍। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବସୁ କହିଛନ୍ତି, କ୍ୟାବିନେଟ୍ ଏହି ନିଷ୍ପତ୍ତି ଉପରେ ମୋହର ମାରିଛି। ଏବେ ବିଧାନସଭାରେ ଆଇନରେ ସଂଶୋଧନ କରାଯାଇ ଏହାକୁ ଲାଗୁ କରାଯିବ। ଏହା ପୂର୍ବରୁ ରାଜ୍ୟରେ ବିଶ୍ଵ ବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ଥିଲେ, ଯିଏ କୁଳପତିଙ୍କୁ ନିଯୁକ୍ତ କରୁଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ କାହାରକୁ ଅଛପା ନୁହେଁ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ପୁଣି ଥରେ ରାଜଭବନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବାଦ ବିବାଦ ବଢିପାରେ। ଏହି ନିଷ୍ପତ୍ତିକୁ ନେଇ ଗୋଟିଏ ବର୍ଷ ହେବ ଆଲୋଚନା ଚାଲିଥିଲା। ରାଜ୍ୟ ସରକାରଙ୍କ କହିବା କଥା ରାଜ୍ୟପାଳଙ୍କ ଯୋଗୁଁ ବିଶ୍ଵ ବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତିରେ ବିଳମ୍ବ ଘଟୁଛି।  ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ କରାଯାଉଛି।

ମମତା ବାନାର୍ଜୀଙ୍କ ସରକାର କହିଛନ୍ତି, କୁଳପତିଙ୍କ ନିଯୁକ୍ତି ପାଇଁ ରାଜ୍ୟପାଳଙ୍କ ନିକଟକୁ ନାମ ପଠାଯାଏ, ହେଲେ ମଞ୍ଜୁରୀ ମିଳେ ନାହିଁ। ଏବେ ବିଧାନସଭାରେ ଏକ ନୂତନ ବିଧେୟକ ଆଗତ କରାଯିବ। ଏଥିରେ ଆଇନର ସଂଶୋଧନ କରାଯିବ। ଏମିତି ନିଷ୍ପତ୍ତି ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ନେଇଛନ୍ତି। ତାମିଲନାଡୁରେ ବିଧେୟକ ଆଗତ କରାଯାଇ ରାଜ୍ୟପାଳଙ୍କଠୁ କୁଳପତିଙ୍କ ନିଯୁକ୍ତି ଦେବାର ଅଧିକାର ଛଡାଇ ନିଆଯାଇଥିଲା।

Get real time updates directly on you device, subscribe now.