ହଠାତ ଅଧାରେ ଅଟକିଗଲା ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ: ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଐତିହାସିକ ଲର୍ଡସ ମଇଦାନରେ ଜାରି ରହିଛି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । କିନ୍ତୁ ମ୍ୟାଚର ପ୍ରଥମ ଦିନ ଖେଳରେ ୨୩ ଓଭର ପରେ ହଠାତ କିଛି ସମୟ ପାଇଁ ଖେଳ ବନ୍ଦ ରହିଛି । ତେବେ ଏହି ମ୍ୟାଚ ବନ୍ଦ ରହିବାର କାରଣ ପାଲଟିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ବୋଲର ଶେନ ୱାର୍ଣ୍ଣ । ନିକଟରେ ପ୍ରାଣ ହରାଇଥିବା ଶେନ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ମ୍ୟାଚକୁ ଅଧାରୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ।

ଏହି ସମୟରେ ଶେନ ୱାର୍ଣ୍ଣଙ୍କୁ ନେଇ ଏକ ଭିଡିଓ ବଡ ସ୍କ୍ରିନରେ ପ୍ଲେ କରାଯାଇ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ମ୍ୟାଚର ୨୩ ସେକେଣ୍ଡ ୱାର୍ଣ୍ଣଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ତେବେ ଏହି ସମୟରେ ସମସ୍ତ ଖେଳାଳିଙ୍କ ସମେତ ଦର୍ଶକ ମଧ୍ୟ ଠିଆ ହୋଇ ୱାର୍ଣ୍ଣଙ୍କୁ ମନେ ପକାଇଛନ୍ତି । ଏହି ଭିଡିଓର ଟାଇଟଲ ଥିଲା ରିମେମ୍ବରିଙ୍ଗ ଶେନ ୱାର୍ଣ୍ଣ ।

ଶେନ ୱାର୍ଣ୍ଣ ୨୩ ନମ୍ବର ଜର୍ସି ପିନ୍ଧି ଖେଳୁଥିବାରୁ ଆଜି ମ୍ୟାଚର ୨୩ ଓଭର ପରେ ୨୩ ସେକେଣ୍ଡ ପାଇଁ ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କ୍ରିକେଟ ପ୍ରତି ୱାର୍ଣ୍ଣଙ୍କ ଅତୁଳନୀୟ ଯୋଗଦାନ ପାଇଁ ଦ ସ୍କାଏ ସ୍ପୋର୍ଟସ କମେଣ୍ଟ୍ରି ବକ୍ସର ନାମ ପରିବର୍ତ୍ତନ କରାଯାଇ ଶେନ ୱାର୍ଣ୍ଣ କମେଣ୍ଟ୍ରି ବକ୍ସ ରଖାଯାଇଛି ।