fbpx

ଟିଆରଏସକୁ ତାରି ଘରେ ଚ୍ୟାଲେଞ୍ଜ କରିବ ବିଜେପି, ହାଇଦ୍ରାବାଦରେ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ତେଲଙ୍ଗାନାରେ ଶାସକ ରାଷ୍ଟ୍ର ସମିତି(ଟିଆରଏସ)ର ମୁକାବିଲା କରିବାକୁ ଅଣ୍ଟା ଭିଡିଛି। ପାର୍ଟି ଜୁଲାଇରେ ହାଇଦ୍ରାବାଦରେ ଆଗାମୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ହାଇଦ୍ରାବାଦକୁ ଟିଆରଏସର ଗଢ କୁହାଯାଏ। ଏମିତିରେ ତେଲଙ୍ଗାନାରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିକଟରେ ବିଜେପିର ଅନେକ ବଡ ନେତା ତେଲଙ୍ଗାନା ଗସ୍ତ କରିଛନ୍ତି।

ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ବୈଠକ ଜୁଲାଇ ୨ ଅପରାହ୍ନ ୪ଟାରେ ଆରମ୍ଭ ହେବ। ଜୁଲାଇ ୩ ସନ୍ଧ୍ୟା ୫ଟାରେ ଏହାର ସମାପନ ହେବ। ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ପାର୍ଟିର ଶୀର୍ଷ ନେତା ଯୋଗ ଦେବେ।

ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆୟୋଜିତ ହେବାକୁ ଥିବାରୁ ଏହି ବୈଠକର ଗୁରୁତ୍ଵ ବଢି ଯାଇଛି। ଏହା ପୂର୍ବରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୦୨୧ ନଭେମ୍ବରରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏହା ପରେ ବିଜେପି ଉତ୍ତର ପ୍ରଦେଶ ସମେତ ଚାରୋଟି ରାଜ୍ୟରେ ବଡ ବିଜୟ ହାସଲ କରିଥିଲା। କାର୍ଯ୍ୟକାରିଣୀ ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ବିଷୟରେ ଆଲୋଚନା କରାଯାଇପାରେ।

ଆୟୋଜନ ସ୍ଥଳ କାରଣରୁ ଏହି ବୈଠକକୁ ଗୁରୁତ୍ଵ ମନେ କରାଯାଉଛି। ବିଜେପି ଜାଣି ଶୁଣି ରାଜ୍ୟରେ କ୍ଷମତାସୀନ ଟିଆରଏସର ଗଢ ହାଇଦ୍ରାବାଦରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ କେସିଆର ସରକାରଙ୍କୁ ହରାଇବାକୁ ଲକ୍ଷ୍ୟ ରଖିଛି। ନିକଟରେ ତେଲଙ୍ଗାନାରେ ହୋଇଥିବା ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ପାର୍ଟିର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ।

ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ତେଲଙ୍ଗାନା ଗସ୍ତ କରି କେସିଆର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ରାଜ୍ୟ ପରିବର୍ତ୍ତନ ଦିଗକୁ ଆଗକୁ ବଢିବାକୁ ଚାହୁଁଛି ଏବଂ ଜନତା ବିଜେପିକୁ ସୁଯୋଗ ଦେଇ ପାରନ୍ତି।

Get real time updates directly on you device, subscribe now.