ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବହୁ ପ୍ରତିକ୍ଷିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ‘ଟି-20 ମୁକାବିଲା ଖେଳାଯିବ। ତେବେ ପାଣିପାଗ ବିଜ୍ଞାନ ଅକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖୁବ୍ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତେଣୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରାକ-ମୌସୁମୀ ବର୍ଷା। ଗତ କିଛି ଦିନ ହେବ ସାରା ରାଜ୍ୟରେ ଲାଗି ରହିଥିବା ପ୍ରବଳ ତାତିରୁ ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି ହ୍ରାସ ପାଇଛି। ସେହିପରୀ ଦିଲ୍ଲୀରେ ପ୍ରବଳ ଖରାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ପ୍ରଥମ ମ୍ୟାଚ ଖେଳିଥିଲେ। ତେବେ ଆସନ୍ତୁ ଜାଣିବା ଆଜି କଟକରେ ପାଣିପାଗ କଣ ରହିବ।
ଶନିବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ତାତି କମିବା ସହ ପାଗ ବଦଳିବା ଲକ୍ଷ୍ୟ କରାଯାଇଛି। କିଛି ଜିଲ୍ଲାରେ ଝିିପିଝିିପି ବର୍ଷା ମଧ୍ୟ ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ କାଳବୈଶାଖୀ ସକ୍ରିୟ ରହିଛି। ବିଭିନ୍ନ ଜିଲ୍ଳାରେ ଘଡ଼ଘଡ଼ି ବିଜୁଳି ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କେଉଁଝର, ମୟୁରଭଞ୍ଜ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ବିଜୁଳି ଘଡଘଡି ହେବ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି। ତେଣୁ ଏହି ସମୟରେ କଟକରେ ବର୍ଷାର କୌଣସି ପ୍ରଭାବ ନରହିପାରେ। ତେବେ କାଳବୈଶାଖୀ ସକ୍ରିୟ ଥିବାରୁ କିଛି ବି ଘଟିପାରେ।
ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,ସମ୍ଭବତଃ ରଜ ଭିତରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପହଞ୍ଚିବା ନେଇ ପାଗ ମଧ୍ୟ ଅନୁକୂଳ ରହିଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁ ସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।