fbpx

ମ୍ୟାଚ ପୂର୍ବରୁ ଆକାଶଙ୍କ ବଡ ବୟାନ: ହାର୍ଦ୍ଦିକଙ୍କୁ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ପ୍ରଦର୍ଶନ ବଳରେ ଏକ ଲମ୍ବା ବ୍ୟବଧାନ ପରେ ସେ ପୁଣି ଥରେ ଦଳରେ ସ୍ତାନ ପାଇଛନ୍ତି । ତେବେ ମଧ୍ୟକ୍ରମରେ ଶାନ୍ତ ଭାବେ ଖେଳକୁ ଆଗେଇ ନେଇ ଶେଷରେ ବଡ ଶଟ ଖେଳିବାରେ ମାହିର ବୋଲି ସେ ନିଜକୁ ପ୍ରମାଣିତ କରି ସାରିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜରେ ତାଙ୍କୁ ସେତିକି ସ୍ୱାଧୀନତା ମିଳିବା ଉଚିତ ବୋଲି ମତ ରଖିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଅଧିନାୟକ ଋଷଭ ପନ୍ତ ହାର୍ଦ୍ଦିିକଙ୍କ ପୂର୍ବରୁ ପଡିଆକୁ ଆସିଥିଲେ । ୧୬ ବଲରୁ ୨୯ ରନର ଏକ ସୁନ୍ଦର ପାଳି ଖେଳିଥିଲେ ଋଷଭ । କିନ୍ତୁ ତାଙ୍କ ପରେ ଅଲରାଉଣ୍ଡର ହାର୍ଦ୍ଦିକ ଆଇପିଏଲର ଫର୍ମ ଜାରି ରଖିଥିଲେ । ଶେଷ ସମୟରେ ମାତ୍ର ୧୨ ବଲରୁ ୩୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ହାର୍ଦ୍ଦିକ । ତେଣୁ ତାଙ୍କୁ କିଛି ବଲ ଅଧିକ ଖେଳିବା ପାଇଁ ସୁଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା । ଅର୍ଥାତ ଋଷଭଙ୍କ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ୧୦-୧୨ ଓଭରରେ କୌଣସି ୱିକେଟ ପଡିଲେ ତାଙ୍କୁ ଏହି ସମୟରେ ସୁଯୋଗ ଦେବା ଉଚିତ । କାରଣ ସେ ୩୦ ବଲ ଖେଳିଲେ ଦଳ ପାଇଁ ୭୦-୮୦ରନ ବାହାର କରିବାର କ୍ଷମତା ତାଙ୍କ ନିକଟରେ ରହିଛି ।

ଏହା ବ୍ୟତୀତ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କ ସମସ୍ତ ଓଭର ଶେଷ କରିବା ନିହାତି ଜରୁରୀ ବୋଲି ଆକାଶ କହିଛନ୍ତି । ଆଇପିଏଲରେ ସର୍ବାଦିକ ୱିକେଟ ନେଇ ପର୍ପଲ କ୍ୟାପ ହାସଲ କରିଥିବା ଚହଲଙ୍କୁ ୪ ଓଭର ବୋଲିଂ କରିବାକୁ ଦିଆଯାଉ । ଯାହାଦ୍ୱାରା ସେ କିଛି କରିସ୍ମା କରି ଦେଖାଇବାର ସୁଯୋଗ ପାଇପାରିବେ । ତେବେ ଏହି କିଛି ପରିବର୍ତ୍ତନ ଦଳରେ ଆବଶ୍ୟକ ରହିଛି ବୋଲି ଆକାଶ ମତପ୍ରକାଶ କରିଛନ୍ତି । ଆଜି ଭାରତ କଟକ ବାରବାଟୀ ଷ୍ଟାଡିୟମରେ ସିରିଜର ଦ୍ୱିତୀୟ ଟି-୨୦ ଖେଳିବାକୁ ଯାଉଛି ।

Get real time updates directly on you device, subscribe now.