fbpx

ଦ୍ୱିତୀୟ ଟି-୨୦ରେ ଭାରତକୁ ଶକ୍ତ ଧକ୍କା, ଦକ୍ଷିଣ ଆଫ୍ରିକାର ଦମ୍‌ଦାର ବିଜୟ : ଓଡ଼ିଶା କ୍ରିକେଟ ପ୍ରେମୀ ନିରାଶ

କଟକ,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା କ୍ରିକେଟ ପ୍ରେମୀଙ୍କୁ ନିରାଶ କଲା ଟିମ୍‌ ଇଣ୍ଡିଆ । ରବିବାର ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ସହିତ ୨-୦ରେ ସିରିଜ ଅଗ୍ରଣୀ ହୋଇଛି । ଟସ୍‌ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୪୮ ରନ୍‌ କରିଥିବାବେଳେ ପଛରେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ସମାନ ସଂଖ୍ୟକ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା ।

ଭାରତ ପକ୍ଷରୁ ଶ୍ରେୟସ ଆୟାର ସର୍ବାଧିକ ୪୦ ରନ୍‌ କରିଥିବାବେଳେ ରିଷଭ ପନ୍ତ ୫, ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ଦୀନେଶ କାର୍ତ୍ତିକ ଅପରାଜିତ ୩୦ ରନ୍‌ କରିଥିଲେ ହେଁ ଭାରତର ପରାଜୟ ରୋକିବା ପାଇଁ ଯଥେଷ୍ଟ ହୋଇନଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ସଫଳ ବୋଲର ଭାବେ ଆନରିକ ୨ ୱିକେଟ ଅକ୍ତିଆର କରିଥିବାବେଳେ ନାବାଡା ଓ ପାର୍ଣ୍ଣେଲ ଏବଂ ଡ୍ୱାନେକ ପ୍ରିଟୋରିୟସ ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହେମରିକ କ୍ଲାସେନ ଧୂଆଁଧାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିବା ସହ ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୪୬ ବଲ୍‌ ଖେଳି ୭ ଚୌକା ଓ ୫ ଛକା ସହାୟତାରେ ୮୧ ରନ୍‌ କରିଥିବାବେଳେ ଅଧିନାୟକ ତେମ୍ବା ବାବୁମାଙ୍କ ୩୫ ରନ୍‌ ଦଳର ବିଜୟ ପାଇଁ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଥିଲା ।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୧୩ ରନ୍‌ରେ ୪ ୱିକେଟ ଅକ୍ତିଆର କରିଥିବାବେଳେ ଯୁଜବେନ୍ଦ୍ର ଚହଲ ଓ ହର୍ଷଦ ପଟେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଗତ ୯ ତାରିଖ ଦିନ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭ ୱିକେଟରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍‌ରେ ଭାରତ ୨୧୧ ରନ୍‌ କରିଥିଲେ ହେଁ ବୋଲିଂରେ ବିଫଳ ହୋଇ ପରାଜୟ ସ୍ୱୀକାର କରିଥିଲା । ସେହି ରି ବାରବାଟୀ ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂରେ ବିଫଳ ହେବା ଯୋଗୁ ପୁଣି ଆଉ ଏକ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଭଲ ବୋଲିଂ କରି ବିଜୟ ଧାରାକୁଫେରିବା ପାଇଁ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଲକ୍ଷ୍ୟ ରଖିଥିଲେ ହେଁ ଏଥିରେ ସଫଳ ହୋଇପାରିଲେ ନାହିଁ । ପୁଣିଥରେ ସୂଚାଇ ଦିଆଯାଇପାରେ ଯେ ବାରବାଟୀ ଷ୍ଟାଡିୟମରେ ଏହାଥିଲା ତୃତୀୟ ଟି-୨୦ ମ୍ୟାଚ୍‌ । ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ କେବଳ ୯୨ ରନ୍‌ କରି ଅଲଆଉଟ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ପଛରେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୯୬ ରନ କରିବା ସହ ସହଜ ବିଜୟ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକା ପୁଣି ଏହି ଷ୍ଟାଡିୟମରେ ବିଜୟର ସଫଳତା ଦୋହରାଇ ପାରିଥିବାବେଳେ ଟିମ୍‌ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ହାର ମାନିଛି ।

Get real time updates directly on you device, subscribe now.