କଟକ: ବିଶ୍ଵ କପ୍ ୨୦୧୧ର ସେହି ମୂହୁର୍ତ୍ତ ଆଜି ମଧ୍ୟ କ୍ରିକେଟ୍ ପ୍ରେମୀଙ୍କ ମନରେ ସତେଜ ଅଛି। ଯେତେବେଳେ ଫାଇନାଲରେ ଭାରତୀୟ ଦଳ ବିଜୟ ଆଡକୁ ଅଗ୍ରସର ହେଉଥିଲା, ସେହି ସମୟରେ ଏରଆର ରେହମାନଙ୍କ ପ୍ରସିଦ୍ଧ ଗୀତ ବନ୍ଦେ ମାତରମରେ ଓ୍ଵାଙ୍ଖେଡା ଷ୍ଟାଡିୟମ ଗୁଞ୍ଜି ଉଠିଥିଲା। ଏହି ମୂହୁର୍ତ୍ତକୁ ମନେ ପକାଇଲେ ଆଜି ମଧ୍ୟ ଭାରତୀୟ ଖେଳାଳିଙ୍କ ଲୋମ ଟାଙ୍କୁରି ଉଠେ। ଠିକ୍ ଏମିତି କିଛି ଦୃଶ୍ୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଦେଖିବାକୁ ମିଳିଛି। ଏହି ଗୀତର ଗୁଞ୍ଜରଣରେ ରବିବାର ରାତିରେ କଟକର ବାରବାଟୀ ଷ୍ଟାଡିୟମ ଝୁମି ଉଠିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି।
‘Vande Maataram’ from the Cuttack crowd in the 2nd T20i between India and South Africa. pic.twitter.com/yr4HoQWdOI
— Mufaddal Vohra (@mufaddal_vohra) June 12, 2022
ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଛି। ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ଅଢେଇ ବର୍ଷ ପରେ କଟକରେ ମ୍ୟାଚ୍ ଖେଳା ଯାଇଥିବାରୁ ଷ୍ଟାଡିୟମ ପୂରା ଭର୍ତ୍ତି ହୋଇ ଯାଇଥିଲା। ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପରେ ଦର୍ଶକଙ୍କ ବନ୍ଦେ ମାତରମ ଗୀତରେ ଷ୍ଟାଡିୟମ ଗୁଞ୍ଜରି ଉଠିଥିଲା। ଏହି ଦୃଶ୍ୟକୁ ମ୍ୟାଚ୍ ଅଫିସିଆଲ ନିଜ କ୍ୟାମେରାରେ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଏହି ସମୟର ଦୃଶ୍ୟ ବେଶ୍ ଉପଭୋଗ୍ୟ ଥିଲା ଏବଂ ଏହା ୨୦୧୧ ବିଶ୍ଵ କପ୍ ଫାଇନାଲର ସେ ସମୟକୁ ମନେ ପକାଇ ଦେଇଥିଲା।
ଯଦି ମ୍ୟାଚ୍ ଉପରେ ଆଲୋଚନା କରାଯାଏ ତେବେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୮ ରନ କରିଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର ୪୦, ଇଶାନ କିଷନ ୩୪ ଏବଂ ଦିନେଶ କାର୍ତ୍ତିକ ୩୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ହେନରିକ କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଥିଲା। ଭାରତର ପରାଜୟରେ ବାରବାଟୀ ଷ୍ଟାଡିୟମରେ ନିରାଶ ଖେଳି ଯାଇଥିଲା।