ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ଥିବା ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଆଶ୍ଵସ୍ତିକର ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଗାମୀ ଦେଢ ବର୍ଷ ୧୦ ଲକ୍ଷ ପଦରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟରେ ଏହି ନିଯୁକ୍ତି ଦିଆଯିବ। ମିଶନ ମୋଡରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୨୦ ମାର୍ଚ୍ଚ ୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷ ପଦ ଖାଲି ରହିଥିଲା। ଆସନ୍ତୁ ଜାଣିବା ସରକାରୀ ଚାକିରିରେ କେତେ ପଦ ସ୍ଵୀକୃତିପ୍ରାପ୍ତ ଏବଂ କେଉଁ ବିଭାଗରେ କେତେ ନିଯୁକ୍ତି ଦିଆଯିବ। ଏଥିସହ କେଉଁ ଗ୍ରୁପ ପାଇଁ କେତେ ଜଣଙ୍କୁ ନିଯୁକ୍ତି ମିଳିବ।
କାର୍ମିକ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ସଂସଦରେ ନିଜ ବିବୃତିରେ କହିଥିଲେ ଯେ, ୨୦୨୦ ମାର୍ଚ୍ଚ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮,୭୨,୨୪୩ ପଦ ଖାଲି ରହିଛି। କେନ୍ଦ୍ର ସରକାର ସର୍ବମୋଟ୍ ୪୦ ଲକ୍ଷରୁ ଅଧିକ ପଦ ସ୍ଵୀକୃତି ଦେଇଛନ୍ତି, ମାତ୍ର କର୍ମଚାରୀଙ୍କ ସଂଖ୍ୟା ୩୨ ଲକ୍ଷରୁ କମ ରହିଛି। ତେଣୁ ପାଖାପାଖି ୧୦ ଲକ୍ଷ ଖାଲି ପଦ ଭରିବାକୁ ଉଦ୍ୟମ କରାଯାଉଛି। ହେଲେ ଏଥିରେ ଆଶାନୁରୂପ ସଫଳତା ମିଳିନାହିଁ। ସବୁଠୁ ଅଧିକ ଖାଲି ପଦ ଡାକ, ପ୍ରତିରକ୍ଷା, ରେଲଓ୍ଵେ ଏବଂ ରାଜସ୍ଵ ପରି ବଡ ମନ୍ତ୍ରଣାଳୟ ଏବଂ ବିଭାଗରେ ରହିଛି। ରେଲଓ୍ଵେ ପାଖାପାଖି ୧୫ ଲକ୍ଷ ପଦ ସ୍ଵୀକୃତିପ୍ରାପ୍ତ ରହିଛି। ଏଥିରୁ ପାଖାପାଖି ୨.୩ ଲକ୍ଷ ପଦ ଖାଲି ରହିଛି।
ସେହି ପରି ପ୍ରତିରକ୍ଷା ବିଭାଗରେ ପ୍ରାୟ ୬.୩୩ ଲକ୍ଷ ସ୍ଵୀକୃତିପ୍ରାପ୍ତ ପଦ ରହିଛି। ଏଥିରୁ ପ୍ରାୟ ୨.୫ ଲକ୍ଷ ପଦ ଖାଲି ପଡିଛି। ଡାକ ବିଭାଗରେ ମୋଟ୍ ସ୍ଵୀକୃତିପ୍ରାପ୍ତ ପଦ ସଂଖ୍ୟା ୨.୬୭ ଲକ୍ଷ। ହେଲେ ପ୍ରାୟ ୯୦ ହଜାର ପଦ ଖାଲି ରହିଛି। ସେହି ପରି ରାଜସ୍ଵ ବିଭାଗରେ ୧.୭୮ ଲକ୍ଷ କର୍ମଚାରୀଙ୍କ ପାଇଁ ସ୍ଵୀକୃତିପ୍ରାପ୍ତ ପଦ ରହିଛି। ହେଲେ ୭୪ ହଜାର ପଦରେ ନିଯୁକ୍ତି ହେବା ବାକି ରହିଛି। ଗୃହ ମନ୍ତ୍ରଣାଳୟରେ ସ୍ଵୀକୃତିପ୍ରାପ୍ତ ୧୦.୮ ଲକ୍ଷ ପଦ ତୂଳନାରେ ପ୍ରାୟ ୧.୩ ଲକ୍ଷ ପଦ ଖାଲି ରହିଛି। ସବୁଠୁ ଅଧିକ ପଦ ଗ୍ରୁପ ସିରେ ଖାଲି ରହିଛି। ଏହି ପଦରେ ୭.୫୬ ଲକ୍ଷ ନିଯୁକ୍ତି ଦିଆଯିବ।
କେଉଁ ବିଭାଗରେ କେତେ ଖାଲି ରହିଛି
ପ୍ରତିରକ୍ଷା- ୨.୪୭ ଲକ୍ଷ
ରେଲଓ୍ଵେ- ୨.୩୭ ଲକ୍ଷ
ଗୃହ ମନ୍ତ୍ରଣାଳୟ- ୧.୨୮ ଲକ୍ଷ
ଡାକ ବିଭାଗ- ୯୦,୦୫୦
ରାଜସ୍ଵ ବିଭାଗ- ୭୪,୦୦୦
ଅଡିଟ୍, ଆକାଉଣ୍ଟ ବିଭାଗ- ୨୮,୨୩୭
କେଉଁ ଗ୍ରୁପରେ କେତେ ପଦ ଖାଲି ରହିଛି
ଗ୍ରୁପ ସି- ୭.୫୬ ଲକ୍ଷ
ଗ୍ରୁପ ବି- ୯୪,୮୪୨
ଗ୍ରୁପ ଏ- ୨୧,୨୫୫