ନୂଆଦିଲ୍ଲୀ: ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯୋଜନା ବିରୋଧରେ ନୂଆ ଏକ ଆକ୍ସନ ପ୍ଲାନ ତିଆରି କରୁଛନ୍ତି କେନ୍ଦ୍ର ସରକାର । ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଣିଛନ୍ତି କଠୋର ନିୟମ । ଏହା ଉପରେ ରୋକ ଲଗାଇବା ପାଇଁ କଡା ଚେତାବନୀ ଦେଇଛି ସିପିସିବି । ଏହାର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଶେଷ ତାରିଖ ଜୁଲାଇ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ଜୁଲାଇ ୧ ତାରିଖ ପରେ ଏହାକୁ ବିକ୍ରି କରୁଥିବା ଏବଂ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
୧ ଜୁଲାଇ ପରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହିସବୁ ବ୍ୟାନ ହେବା ପରେ ପ୍ଲାଷ୍ଟିକ ସ୍ଥାନରେ ବିକଳ୍ପ ବ୍ୟବସ୍ଥା ମଧ୍ୟ କରୁଛନ୍ତି ସରକାର । ଏହାର ବିକଳ୍ପ ଭାବରେ ବିଭିନ୍ନ ପ୍ରକାର ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି ୨୦୦ କମ୍ପାନୀ । ଏଥିପାଇଁ ସେମାନଙ୍କୁ ଲାଇସେନ୍ସ ମଧ୍ୟ ରିନ୍ୟୁ କରିବାର ଆବଶ୍ୟକତା ପଡିବ ନାହିଁ ।
ଯେଉଁ ଜିନିଷମାନଙ୍କ ଉପରେ ବ୍ୟାନ ଆଦେଶ ଜାରି ହୋଇଛି, ସରକାରଙ୍କ ତରଫରୁ ଏସବୁର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ଲାଷ୍ଟିକ ଷ୍ଟିକ ଥିବା ଇୟରବଡ, ବେଲୁନର ପ୍ଲାଷ୍ଟିକ ଷ୍ଟିକ, ପ୍ଲାଷ୍ଟିକ ଫ୍ଲାଗ, କ୍ୟାଣ୍ଡି ଷ୍ଟିକ, ଆଇସକ୍ରିମ ଷ୍ଟିକ, ଥର୍ମାକାଲ, ପ୍ଲାଷ୍ଟିକ ପ୍ଲେଟ, ପ୍ଲାଷ୍ଟିକ କପ, ପ୍ଲାଷ୍ଟିକ ପ୍ୟାକିଂ ପଦାର୍ଥ, ପ୍ଲାଷ୍ଟିକ ଦ୍ୱାରା ପ୍ରସ୍ତୁତ ନିମନ୍ତ୍ରଣ ପତ୍ର, ସିଗାରେଟ ପ୍ୟାକେଟ ଏବଂ ପ୍ଲାଷ୍ଟିକ ଏବଂ ପିବିସି ବ୍ୟାନର(୧୦୦ ମାଇକ୍ରୋନରୁ କମ) । ଏହିସବୁ ପ୍ଲାଷ୍ଟିକ ଜାତ ପଦାର୍ଥ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇବା ପାଇଁ ଆଦେଶ ଜାରି କରିଛନ୍ତି ।
ତେବେ ବ୍ୟାନ ଆଦେଶକୁ ଅବମାନନା କରିବା ସାଧାରଣ ଜନତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜୁଲାଇ ୧ ପରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ଦୋକାନର ଲାଇସେନ୍ସ ରଦ୍ଦ କରି ଦିଆଯିବ । ଅର୍ଥାତ ଆଉ ଥରେ ଲାଇସେନ୍ସ ପାଇଁ ଜରିମାନା ଦେଇ ଆବେଦନ କରିବେ ଦୋକାନୀ । ସିପିସିବି ଦ୍ୱାରା ପାରିତ ଏକ ଆଦେଶପତ୍ରରେ ଏ ନେଇ ସ୍ପଷ୍ଟ କରାଯାଇଛି ।