fbpx

ଅଗ୍ନିପଥ ସ୍କିମ୍: ବାୟୁସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧ କୋଟିର ବୀମା, ୩୦ ଦିନର ଛୁଟି ସହ ଅନେକ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ପକ୍ଷରୁ ଅଗ୍ନିପଥ ସ୍କିମର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ବାୟୁସେନା ପକ୍ଷରୁ ଅନେକ ସୁବିଧା ମିଳିବ । ବାୟୁସେନାରେ ସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଅଗ୍ନିବୀରଙ୍କୁ ଦିଆଯିବ । ଅଗ୍ନିବୀରଙ୍କୁ ବେତନ ସହ, ହାର୍ଡଶିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ ସୁବିଧା, ମେଡିକାଲ ସୁବିଧା ମିଳିବ ।

ଏଥିସହିତ ଅଗ୍ନିବୀରଙ୍କୁ ସେବା କାଳରେ ଟ୍ରାଭେଲ ଆଲାଉନ୍ସ, ୩୦ ଦିନର ଛୁଟି ମିଳିବ । ମେଡିକାଲ ଲିଭ୍ ବ୍ୟବସ୍ଥା ଅଲଗା ରହିଛି । ସେବା ସମୟରେ ଯଦି କୌଣସି ଅଗ୍ନିବୀରଙ୍କ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାରଙ୍କୁ ୧ କୋଟିର ଇନସ୍ୟୁରାନ୍ସ କଭର ମିଳିବ । ବାୟୁସେନାର ଏହି ଭର୍ତ୍ତି ଏୟାର ଫୋର୍ସ ଆକ୍ଟ ୧୯୫୦ ଅନୁଯାୟୀ ୪ ବର୍ଷ ପାଇଁ ହେବ । ଅଗ୍ନିବୀରଙ୍କୁ ବାୟୁସେନାରେ ଏକ ଅଲଗା ରାଙ୍କରେ ରଖାଯିବ ।

ଅଗ୍ନିବୀରଙ୍କୁ ଅଗ୍ନିପଥର ସମସ୍ତ ସର୍ତ୍ତାବଳୀମାନିବାକୁ ପଡ଼ିବ । ଯେଉଁ ଅଗ୍ନିବୀରଙ୍କ ବାୟୁସେନାରେ ନିଯୁକ୍ତି ସମୟରେ ୧୮ ବର୍ଷରୁ କମ୍ ବୟସ ହୋଇଥିବ, ନିଯୁକ୍ତିପତ୍ରରେ ତାଙ୍କର ପିତାମାତା ବା ଅଭିଭାବକ ହସ୍ତାକ୍ଷର କରିବେ । ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ରେଗୁଲାର କ୍ୟାଡରକୁ ନିଆଯିବ । ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ସେବା କାଳରେ ସେମାନଙ୍କର ପରଫର୍ମାନ୍ସ ଆଧାରରେ କରାଯିବ ।

ଅଗ୍ନିବୀର ସମ୍ମାନ ଓ ଆୱାର୍ଡର ହକଦାର ହେବେ । ବାୟୁସେନାରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଯିବ । ଯଦି ସେବା କାଳରେ ଅଗ୍ନିବୀରଙ୍କ ମୃତ୍ୟୁ ଘଟେ ତେବେ ୪୮ ଲକ୍ଷ ଟଙ୍କାର ବୀମା କଭର ମିଳିବ, ଏହାଛଡ଼ା ୪୪ ଲକ୍ଷର ରାଶି ମିଳିବ, ୪ ବର୍ଷର ଚାକିରିର ବାକି ସେବାର ବେତନ ପରିବାରକୁ ଦିଆଯିବ । ଏଥିସହିତ ସେବାନିଧି ଫଣ୍ଡର ସଞ୍ଚିତ ଅର୍ଥ, ସରକାରଙ୍କ ଯୋଗଦାନ ଓ ସୁଧ ଅଗ୍ନିବୀରଙ୍କ ପରିବାରକୁ ଦିଆଯିବ । ଡ୍ୟୁଟି ସମୟରେ ବିକଳାଙ୍ଗ ହେଲେ ୪୪ ଲକ୍ଷ ଟଙ୍କା ମିଳିବ । ସେବା ସମାପ୍ତ ହେବା ପରେ ଅଗ୍ନିବୀରଙ୍କୁ ଏକ ବିସ୍ତୃତ ସ୍କିଲ ସାର୍ଟିଫିକେଟ ପ୍ରଦାନ କରାଯିବ । ଉକ୍ତ ପ୍ରମାଣପତ୍ରରେ ଅଗ୍ନିବୀରଙ୍କ କୌଶଳ ଓ ଯୋଗ୍ୟତା ବିଷୟରେ ବର୍ଣ୍ଣନା କରାଯିବ ।

Get real time updates directly on you device, subscribe now.