ସ୍ୱର୍ଗଦ୍ୱାରରେ ବିଦାୟ ନେଲେ ଓଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ବରିଷ୍ଠ ଅଭିନେତା ରାଇମୋହନଙ୍କ ଶେଷକୃତ୍ୟ । ସାନଝିଅ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ପଞ୍ଚଭୂତରେ ଲୀନ ହୋଇଛି ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର । କୋଟ କୋଟି ଓଡିଆ ଏବଂ ସିନେପ୍ରେମୀଙ୍କୁ ଦୁଃଖ ସାଗରରେ ଭସେଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ଯାତ୍ରା ତଥା ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ।

ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନଙ୍କୁ ବିଦାୟ ଦେଇଛନ୍ତି ପରିବାର ଏବଂ ଆତ୍ମୀୟ ସ୍ୱଜନ । ତେବେ ରାଇମୋହନ ୧୯୬୩, ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ସେ।

‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ।

‘‘ଆଜି ଯାଏଁ ମୁଁ ଅନେକ ଫିଲ୍ମରେ କାମ କରିଛି। କିନ୍ତୁ ‘କୋଟିଏ ମଣିଷ ଗୋଟିଏ ଜଗା’ ଫିଲ୍ମର ନାଗା ଚରିତ୍ରରେ ମତେ ବହୁତ ଭଲ ପାଇବା ମିଳିଥିଲା। ଗାଁ ଗାଁରେ ମୁଁ ପରିଚିତ ହୋଇଥିଲି। ଯୁବପିଢ଼ି ନାଗା କ୍ଲବ ଖୋଲିଥିଲେ। ଆଜି ବି ସେ ସମୟ ମନେ ପଡ଼ିଲେ ଭାରି ଖୁସି ଲାଗେ’’ ବୋଲି ରାଇମୋହନ କହିଥିଲେ। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି।