fbpx

ବିରଳ ମନ୍ଦିରର ବିରଳ ପୂଜା : ମନ୍ଦିରରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ

ମନ୍ଦିରରେ ସାଧାରଣତଃ ଦେବାଦେବୀମାନଙ୍କର ପୂଜା କରାଯାଇଥାଏ । କିନ୍ତୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ମନ୍ଦିରରେ ପୂଜା କରା ଯାଉଥିବା କଥା ଶୁଣିଲେ ହୁଏତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ବାପୁଙ୍କୁ ସମ୍ମାନ ଦେବା ପାଇଁ ଦେଶରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଥାଏ । କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗାନ୍ଧୀଙ୍କ ବଳିଦାନକୁ ମନେପକାଇବା ପାଇଁ ପ୍ରତ୍ୟେକ ଦିନ ତାଙ୍କର ପୂଜା କରାଯାଏ ।

ରେଶମ ସହର ଭାବେ ପରିଚିତ ବ୍ରହ୍ମପୁରରେ ଏହି ମନ୍ଦିର ଅବସ୍ଥିତ । ବ୍ରହ୍ମପୁରର ପ୍ରସିଦ୍ଧ ଉତ୍ତରେଶ୍ୱର ଜଗନ୍ନାଥ ମନ୍ଦିରରେ ଗାନ୍ଧୀଙ୍କ ଫଟୋଚିତ୍ରକୁ ପୂଜା କରାଯାଉଥିବାରୁ ଏହା ଅନ୍ୟ ମନ୍ଦିର ଠାରୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ମନ୍ଦିରରେ ଭଗବାନଙ୍କ ରୂପରେ ପୂଜା ପାଉଛନ୍ତି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ୧୯୬୦ ମସିହାରୁ ଏହି ଜଗନ୍ନାଥ ମନ୍ଦିରର ପାଶ୍ୱର୍ ଦେବତାଙ୍କ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପ୍ରତ୍ୟେକ ଦିନ ପୂଜା କରାଯାଉଛି ।

ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଜଗନ୍ନାଥ ମନ୍ଦିରରେ ପାଶ୍ୱର୍ ଦେବତାଙ୍କ ମଧ୍ୟରେ ପଞ୍ଚ ଦେବତା, ବିମଳା, ହନୁମାନ, ନବଗ୍ରହ ରହିଥିବା ସହ ଭାଗବତ ଗାଦି ରହିଥିବା ସ୍ଥାନରେ ପ୍ରଭୁ ଶୀରାମଙ୍କ ସହ ଗୋଟିଏ ସ୍ଥାନରେ ଜାତିର ପିତାଙ୍କ ଫଟୋ ରଖି ପୂଜା କରାଯାଉଛି । ଏହି ମନ୍ଦିରରେ ସକାଳ ଆଳତୀ, ବାଳଭୋଗ ସହ ମଧ୍ୟାହ୍ନ ଅନ୍ନଭୋଗ ପରେ ସନ୍ଧ୍ୟା ଆଳତୀ ସାରି ମନ୍ଦିରର ପହଡ଼ ପଡ଼ିଥାଏ । ଗାନ୍ଧି ଜୟନ୍ତୀ ଓ ବାପୁଙ୍କ ତିରୋଧାନ ଦିବସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମହା ଆଡ଼ମ୍ବରରେ ପୂଜା କରାଯାଇଥାଏ ।

ଅତୀତର ଗାଥାକୁ ମନେ ପକାଇ ବାପୁଜୀଙ୍କୁ ଭକ୍ତିପୁତ ମନରେ ପୂଜା କରନ୍ତି ଗ୍ରାମବାସୀ । ସହରବାସୀଙ୍କ ଦେଶଭକ୍ତିର ଏହା ହେଉଛି ଜ୍ୱଳନ୍ତ ଉଦାହରଣ । ଗାନ୍ଧିଜୀଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏହି ସହର ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

Get real time updates directly on you device, subscribe now.