fbpx

ଜନ୍ମବେଦୀରେ ନୀଳାଦ୍ରନାଥଙ୍କ ସରିଆସୁଛି ଲୀଳାଖେଳା, କାଲି ବାହୁଡ଼ିବେ ମହାବାହୁ : ଆଜି ସନ୍ଧ୍ୟା ଦର୍ଶନ, ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ

ପୁରୀ, (ଭାସ୍କର ନ୍ୟୁଜ୍‌) : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ବାହୁଡ଼ିବେ ମହାବାହୁ । ଏଥିପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନହୋଇ ଅପରାହ୍ଣରେ ଶେଷ ହେବ । ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କୁ ଆଉ କେହି ଭକ୍ତ ଦର୍ଶନ କରିପାରିବେ ନାହିଁ । ତେବେ ସନ୍ଧ୍ୟା ଦର୍ଶନ ନେଇ ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ବିରୋଧ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଏହାର ପୁନର୍ବିଚାର କରିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି । ସନ୍ଧ୍ୟାବେଳେ ସନ୍ଧ୍ୟା ଦର୍ଶନ କରାଯାଇଥାଏ । କିନ୍ତୁ ଅପରାହ୍ଣ ୪ଟାରୁ ଏହା ବନ୍ଦ କରାଗଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି ସେବାୟତ କହିଛନ୍ତି ।

ସେମାନେ କହିଛନ୍ତି ଯେ, ସନ୍ଧ୍ୟା ଦର୍ଶନରେ ବହୁ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସନ୍ଧ୍ୟା ୬ଟା ପରେ ହିିଁ ସନ୍ଧ୍ୟା ଦର୍ଶନ କରାଯାଇଥାଏ । ଦିନରେ ସନ୍ଧ୍ୟା ଦର୍ଶନ କରିବା ଠିକ୍‌ ନୁହେଁ । ସନ୍ଧ୍ୟା ଦର୍ଶନ ବନ୍ଦ କରିବା ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି କୁଠାରଘାତ । ପ୍ରଶାସନ ସନ୍ଧ୍ୟା ଦର୍ଶନ ସମୟ ବଢ଼ାଇ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ଅନୁମତି ଦେବାକୁ ସେମାନେ ଦାବି ଜଣାଇଛନ୍ତି । କାରଣ ଦିନରେ ଖରାରେ ଆସି ଲାଇନ୍‌ରେ ଛିଡ଼ା ହୋଇ ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର । ତେଣୁ ସନ୍ଧ୍ୟା ସମୟରେ ଦର୍ଶନ ମିଳିଲେ ଭକ୍ତ ଶାନ୍ତିରେ ଦର୍ଶନ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତେ ବୋଲି ସେବାୟତ କହିଛନ୍ତି ।

ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଶରଧା ବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶରଧା ବାଲିରେ ଭକ୍ତଙ୍କ ଗହଳି ଲାଗି ରହିଥିବାବେଳେ ବାହୁଡ଼ା ଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ସହ ସହଳ ଶେଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ବାହୁଡ଼ା ଯାତ୍ରାଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.