ଓଡ଼ିଶା ଭାସ୍କର: ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ହେଉଛି ହରିଶଙ୍କର ମନ୍ଦିର । ପଶ୍ଚିମ ଓଡ଼ିଶାରେ ଅବସ୍ଥିତ ହରିଶଙ୍କର ମନ୍ଦିରର ଅନେକ ରୋଚକ ତଥ୍ୟ ରହିଛି । ଏହି ପୀଠରେ ହରି ଓ ଶଙ୍କର ଏକାଠୀ ପୂଜା ପାଉଥିବାରୁ ଏହି ମନ୍ଦିରର ରହିଛି ଭିନ୍ନ ସ୍ୱତନ୍ତ୍ରତା । ବଲାଙ୍ଗୀର ଜିଲ୍ଲାରେ ପାଟଣାଗଡ଼ଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଛି ହରିଶଙ୍କର ମନ୍ଦିର । ସେହିପରି ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରଶିଦ୍ଧ ନୃସିଂହନାଥ ମନ୍ଦିର । ଶ୍ରଦ୍ଧାଳୁମାନେ ଏକା ସହିତ ହରି ଓ ଶଙ୍କରଙ୍କୁ ଦର୍ଶନ କରିପାରୁଥିବାରୁ ଏହି ସ୍ଥାନର ନାମ ହରିଶଙ୍କର ରଖାଯାଇଛି ।
ଲୋକକଥା ଅନୁସାରେ ପଞ୍ଚୁପାଣ୍ଡବଙ୍କ ବନବାସ ସମୟରେ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥାନ କରିଥିବା ସମୟରେ ହିଁ ହରି ଓ ଶଙ୍କରଙ୍କର ଆବିର୍ଭାବ ହୋଇଥିଲା । ପାଣ୍ଡବମାନଙ୍କ ଅବସ୍ଥାନ ସମୟରେ ତାଙ୍କର ପିତୃ ଶ୍ରାଦ୍ଧ କରିବା ପାଇଁ ଏକ ଗଣ୍ଡାର ଅଶାଂବଶେଷର ଆବଶ୍ୟକତା ରହିଥିଲା । ଏଥିପାଇଁ ଯୁଧିଷ୍ଠିର ନିଜର ୪ ଭାଇଙ୍କୁ ୪ଦିଗକୁ ପଠାଇଥିଲେ । ଅର୍ଜୁନ ଯେଉଁ ଦିଗରେ ଯାଇଥିଲେ ସେଠାରେ ଗଣ୍ଡା ପରି ଦିଶୁଥିବା ଏକ ଜୀବର ଶିରଚ୍ଛେଦ କରିଥିଲେ । କିନ୍ତୁ ଗଣ୍ଡା ପରି ଦେଖାଯାଉଥିବା ଏହି ଜୀବର ମୁଣ୍ଡଟି ଏକ ଗାଈର ମୁଣ୍ଡ ଥିଲା । ଏହି ଗାଈ ଶିବଲିଙ୍ଗ ଉପରେ କ୍ଷୀରଦାନ କରୁଥିବା ସମୟରେ ଅର୍ଜୁନଙ୍କ ତୀର ଗାଈର ଶିରଚ୍ଛେଦ କରିଥିଲା । ଅର୍ଜୁନ ଗୋହତ୍ୟା ପାପରୁ ମୁକ୍ତି ପାଇବା ପାଇଁ ନିଜର ସଖା ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ । ଏହା ପରେ ଋଷି ମହର୍ଷି ଦେବର୍ଷିଙ୍କ ସହାୟତାରେ ଏକ ହୋମଯଜ୍ଞ କରାଯାଇଥିଲା । ହୋମଯଜ୍ଞରେ ପୁନଃଜୀବନ୍ୟାସ ମନ୍ତ୍ର ଦ୍ୱାରା ଗାଈଟିକୁ ପୁର୍ନଜୀବିତ କରାଯାଇଥିଲା । ଏହି ସମୟରେ ଭଗବାନ ଶିବ ଓ ବିଷ୍ଣୁ ଏକା ସମୟରେ ନିଜ ସ୍ୱରୂପରେ ଦର୍ଶନ ଦେଇଥିବାରୁ ଅର୍ଜୁନଙ୍କର ଗୋହତ୍ୟା ଦୋଷ କଟି ଯାଇଥିଲା । ଏକା ସ୍ଥାନରେ ହରି ଓ ଶଙ୍କର ଆବିର୍ଭାବ ହୋଇଥିବାରୁ ଏହି ସ୍ଥାନର ନାମ ହରିଶଙ୍କର ରଖାଯାଇଛି ।
ଦ୍ୱାଦଶ ଶତାବ୍ଦୀରେ ଚୌହାନ ରାଜବଂଶୀୟ ରାଜାଙ୍କୁ ହରିଶଙ୍କରଙ୍କ ପ୍ରତିମୂର୍ତ୍ତି ବିଷୟରେ ସୂଚନା ମିଳିବା ପରେ ହିଁ ହରିଶଙ୍କରଙ୍କ ମନ୍ଦିର ନିର୍ମିତ ହୋଇଥିଲା । ରାଜା ବିଜଳ ଦେବ ଚୌହାନଙ୍କ ପତ୍ନୀ ଦୁଲର୍ଭା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିର ନିର୍ମାଣ ପୂର୍ବରୁ ଏଠାରେ ଏକ ନୃତରତ ଗଣେଶଙ୍କର ଛବି ମଧ୍ୟ ଦେଖିବାକୁ ମିଳିଥିଲା । ଏହି ମନ୍ଦିରର ନିର୍ମାଣ ଶୈଳୀ ଅନ୍ୟ ମନ୍ଦିରମାନଙ୍କ ନିର୍ମାଣ ଶୈଳୀଠାରୁ ଭିନ୍ନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିବା ପାଇଁ ଆକର୍ଷିତ ହୋଇଥାନ୍ତି ।
ଲୋକକଥା ଅନୁସାରେ ଯମୁନା ନାମକ ଜଣେ କନ୍ଧ ମହିଳା ପ୍ରଥମେ ହରିଶଙ୍କରଙ୍କୁ ଦର୍ଶନ କରିଥିଲେ । କନ୍ଧ ସମ୍ପ୍ରଦାୟର ପୂଜକମାନେ ଆଦିବାସୀ ସଂସ୍କୃତି ପ୍ରଣାଳୀରେ ହରିଶଙ୍କରଙ୍କ ପୂଜାନୀତି ସମ୍ପନ୍ନ କରିଥାନ୍ତି । ହରିଶଙ୍କର ମନ୍ଦିର ନିକଟରେ ଏକ ଝରଣା ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥାଏ । ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହରିଶଙ୍କର ମନ୍ଦିରର ମୁଖ୍ୟ ପର୍ବ । ଏହି ବିଶେଷ ପର୍ବରେ ଗନ୍ଧମାର୍ଦ୍ଦନ ପର୍ବତରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ସନ୍ଧ୍ୟା ଆଳତୀ ସମୟରେ ଭଗବାନଙ୍କ ନିକଟରେ ଅର୍ପଣ କରାଯାଇଥାଏ ।