fbpx

କେରଳରେ ମଙ୍କିପକ୍ସର ଏଣ୍ଟ୍ରି ପରେ ଆଲର୍ଟରେ ସରକାର: ସ୍କ୍ରିନିଂ-ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ କେସ୍ ମିଳିବା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ସଜାଗ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ବିଷୟରେ ସାମାନ୍ୟ ଅବହେଳା ନକରିବା ସହିତ ଆବଶ୍ୟକ ହେଲେ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ମେ ୩୧ ରେ ପଠାଯାଇଥିବା ଚିଠିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସୂଚିତ କରିଛି । ରାଜ୍ୟଗୁଡ଼ିକ ଟେଷ୍ଟିଂ ଏବଂ ସ୍କ୍ରିନିଂ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସନ୍ଦିଗ୍ଧ ମାମଲାର ତଦନ୍ତ କରାଯାଉ ବୋଲି କେନ୍ଦ୍ର ସରକାର କହିଛନ୍ତି । ମଙ୍କିପକ୍ସ ଏକ ମାରାତ୍ମକ ରୋଗ, ଯାହାକୁ ଯଦି ବେପରୁଆ ଭାବରେ ଗ୍ରହଣ କରାଯାଏ ତେବେ ଏହା ସାଂଘାତିକ ହୋଇପାରେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କେରଳରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତି ତିନି ଦିନ ପୂର୍ବେ ସଂଯୁକ୍ତ ଆରବ ଏମିରେଟ୍ସରୁ ଆସିଥିଲେ । ବ୍ୟକ୍ତିଙ୍କୁ ପ୍ରବଳ ଜ୍ୱର ସମେତ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା । ସେହି ବ୍ୟକ୍ତିଙ୍କ ନମୁନାକୁ ପୁଣେର ଲ୍ୟାବକୁ ମାଙ୍କଡପକ୍ସର ନିଶ୍ଚିତତା ପାଇଁ ପଠାଯାଇଥିଲା । ଅନ୍ୟପଟେ ସେପଟେ ସଂକ୍ରମଣ ବିରୋଧରେ କୌଣସି ଟିକା କିମ୍ବା ଔଷଧ ପ୍ରସ୍ତୁତ ହୋଇ ନଥିବାର କାରଣରୁ ଏହାର ଭୟାବହତା ଅଧିକ ରହିଛି ।

ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଓ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆକ୍ରାନ୍ତଙ୍କୁ ତିରୁଅନନ୍ତପୁରମ ମେଡିକାଲ କଲେଜରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପିତା ଓ ମାତାଙ୍କୁ ମଧ୍ୟ ଉକ୍ତ ମେଡିକାଲ କଲେଜରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । କିଛି ଦିନ ପୂର୍ବରୁ ୟୁଏଇରେ ଥିବାବେଳେ ତାଙ୍କର ଜଣେ ସାଙ୍ଗ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିଲେ । ଉକ୍ତ ସାଙ୍ଗ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

କିପରି ବ୍ୟାପେ ମଙ୍କିପକ୍ସ?

ମଙ୍କିପକ୍ସ ଏକ ଭାଇରାଲ୍ ଭୂତାଣୁ, ଯାହା ମୂଷା ଓ ବିଶେଷକରି ମାଙ୍କଡମାନଙ୍କ ଦ୍ୱାର ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ମାମଲା ପୁରୁଷ ଓ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଛି । ଏବଂ ୮୦ ପ୍ରତିଶତ ମାମଲା ୟୁରୋପ, ପରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ମଙ୍କିପକ୍ସ ମୂଳରୂପରେ ଅତି ନିବିଡ ଭାବେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ମାଧ୍ୟମରେ ବ୍ୟାପିଥାଏ । ବର୍ତ୍ତମାନ ମଙ୍କିପକ୍ସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଚିକେନ୍ ପକ୍ସ ଟିକା ଏଥିପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ, କାରଣ ଏହା ମଙ୍କିପକ୍ସକୁ ରୋକିପାରିବ ଏବଂ ମଙ୍କିପକ୍ସର ଚିକିତ୍ସା ପାଇଁ ଚିକିତ୍ସାତ୍ମକ ଏଜେଂଟ ଭାବେ କାର୍ଯ୍ୟ କରିପାରେ ।

ଏହାକୁ ରୋକିବା ପାଇଁ ଆମକୁ ସବୁ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନଆସିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସମସ୍ତ ଜିନିଷ ଠାରୁ ଦୂରେଇ ରହି ମଙ୍କିପକ୍ସକୁ ରୋକାଯାଇପାରିବ । ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ ଲୋକଙ୍କ ଠାରେ ଦେଖାଯାଉଥିବା ଚିକେନ୍ ପକ୍ସ ସହ ସମାନ । ଏହାର ପ୍ରାଥମିକ ଲକ୍ଷଣରେ ପୂରା ଶରୀରରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାଛଡ଼ା ନିମୋନିଆ, ଥଣ୍ଡା, ଜ୍ୱର, ଶରୀରରେ ଯନ୍ତ୍ରଣା, ଅବସାଦ, ମୁଣ୍ଡବ୍ୟଥା, ବାନ୍ତି, ପେଟବ୍ୟଥା ଓ ଝାଡ଼ା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ ।

Get real time updates directly on you device, subscribe now.