ଭୟଙ୍କର ତଥ୍ୟ: ଗାଧୋଇବା ବେଳେ ନାକରେ ପଶି ମସ୍ତିଷ୍କକୁ ଖାଇ ଯାଉଛି ଅମୀବା, ଏକ ସପ୍ତାହ ମଧ୍ୟରେ ମଣିଷର ମୃତ୍ୟୁ ସୁନିଶ୍ଚିତ
ନୂଆଦିଲ୍ଲୀ: ନିକଟରେ ଆମେରିକାରେ ଜଣେ ଯୁବକଙ୍କର ମୃତ୍ୟୁକୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଏକ ହ୍ରଦକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ଅମୀବା ସଂକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପାଣିରେ ଗାଧୋଇବା ସମୟରେ ଅମୀବା ନାକ ମଧ୍ୟଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ । ପରେ ତାହା ମସ୍ତିଷ୍କକୁ ଧୀରେ ଧୀରେ ଖାଇ ଯାଇଥାଏ ।
ତେବେ ଯୁବକ ଜଣଙ୍କ ଆମେରିକାର ମିସୌରୀ ହ୍ରଦରେ ପହଁରୁଥିବା ସମୟରେ ଅମୀବା ସଂକ୍ରମଣର ଶିକାର ହୋଇଥିଲେ । ଏହା ପରେ ମାତ୍ର ଏକ ସପ୍ତାହ ପରେ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଏକ ରିପୋର୍ଟ ମୁତାବକ, ଗାଧୋଇବା ପରେ ଉକ୍ତ ଯୁବକଙ୍କଠାରେ କିଛି ସମସ୍ୟା ଦେଖା ଦେଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରୋଧୀ ସଂସ୍ଥା (ସିଡିସି) ମୁତାବକ, ଏହି ଅମୀବାର ନାମ ହେଉଛି ନେଗଲେରିୟା ଫାଉଲେରୀ । ଏହା ଏକ କୋଷିକା ବିଶିଷ୍ଟ ହୋଇଥାଏ । ହ୍ରଦ, ନଦୀ, ପୋଖରୀ, ଗରମ ଝରଣା, ଗରମ ପାଣିରେ ଏହି ପରଜୀବୀ ବାସ କରିଥାଏ । ଏହା ନାକ ଦେଇ ଶରୀରରେ ପ୍ରବେଶ କରି ଲୋକଙ୍କୁ ସଂକ୍ରମିତ କରାଏ ।
ଏହା ଶରୀରରେ ପ୍ରବେଶ କରି ବ୍ରେନ ପର୍ଯ୍ୟନ୍ତ ପହଞ୍ଚି କ୍ଷତିଗ୍ରସ୍ତ କରିଥାଏ । ଗତ ୩୫ ବର୍ଷରେ ଏହା ରାଜ୍ୟର ପ୍ରଥମ ମାମଲା ବୋଲି ମିସୌରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅମୀବା ସଂକ୍ରମଣ ମଣିଷଠାରୁ ମଣିଷକୁ ବ୍ୟାପେ ନାହିଁ । ମାତ୍ର ଏହାକୁ ଧରିବା କଷ୍ଟକର ବ୍ୟାପାର ହୋଇଥାଏ । ଏଥିରୁ ବର୍ତ୍ତିବା ପାଇଁ ଗରମ ଝରଣା ଓ ଥର୍ମାଲ ପାଣିରେ ମୁଣ୍ଡ ନ ବୁଡ଼ାଇବାକୁ କୁହାଯାଇଛି ।