fbpx

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ପାଖାପାଖି ୪୮୦୦ ସାଂସଦ ଓ ବିଧାୟକ ବାଛୁଛନ୍ତି ଦେଶର ପ୍ରଥମ ନାଗରିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ଭୋଟ ଦେଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମାଟିର ଝିଅକୁ ଭୋଟ ଦେଇଛି ।’ ତେବେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦଳ ନିଷ୍ପତ୍ତି ବିରୋଧରେ ଯାଇ ଏନଡିଲ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ । ଦଳୀୟ ହ୍ୱିପ୍ ଜାରି ହେଉନଥିବାରୁ ବିବେକାନୁମୋଦିତ ଭୋଟ ଦେଇଥିବା ସେ କହିଛନ୍ତି ।

ତେବେ ଆଜି ରାଷ୍ଟ୍ରପତି ନିର୍ବାଚନ ଅବସରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ବାରାଣାସୀରୁ ସାଂସଦ ହୋଇଥିବା ବେଳେ ସେ ପାର୍ଲାମେଣ୍ଟ ପରିସରରେ ନିଜର ମତଦାନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି, ବର୍ତ୍ତମାନର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ନୂଆ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଦେଶରେ ଆଜି ନିର୍ବାଚନ ଜାରି ରହିଛି । ଆଉ କିଛିଦିନ ପରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ପ୍ରେରଣା ଓ ଦିଗଦର୍ଶନ ପ୍ରଦାନ କରିବେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ମତଦାନ ସାବ୍ୟନ୍ତ କରିଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ନବୀନ ଭୋଟ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପରି ଅନେକ ବଡ଼ ବଡ଼ ରାଜନେତା ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

Get real time updates directly on you device, subscribe now.